ଭୀମପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଭୀମପୁର ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁଅଁରପୁର ଆୟୁଷ ଗ୍ରାମ ମାଧ୍ୟମରେ ଜିଲ୍ଲା ଆୟୁର୍ବେଦିକ ଓ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏକ ମାଗଣା ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିନସ୍ଥ ଜାତୀୟ ଆୟୁଷ ମିଶନ ସହାୟତାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଆୟୁର୍ବେଦିକ, ୟୁନାନୀ, ଯୋଗ, ସିଦ୍ଧି ଓ ହୋମିଓପ୍ୟାଥିକ ଚିକିତ୍ସା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସଚେତନତା କରାଯାଇଥିଲା । ଏଥିରେ ମୁଖ୍ୟ ବ୍ୟକ୍ତି ଭାବେ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡା. ଜୟଶ୍ରୀ ନନ୍ଦ ଯୋଗଦାନ କରି ଭାରତୀୟ ଚିକିତ୍ସା ପଦ୍ଧତିର ଗୁଣବତ୍ତା ଓ ନିରାପଦ ତଥା ସୁଲଭ ମୂଲ୍ୟରେ କିପରି ଦୁରାରୋଗ ଭଲ କରାଯାଇପାରିବ ଅବଗତ କରାଇଥିଲେ । ଆୟୋଜକ ଡା. ପ୍ରଶାନ୍ତ କୁମାର ନନ୍ଦ, ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଏବଂ ଆୟୁଷଗ୍ରାମ ଅନ୍ତର୍ଗତ ରସାଳପୁର ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମର ଏପରି ସ୍ୱାସ୍ଥ୍ୟମେଳା, ଯୋଗଶିବିର ଓ ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଦ୍ୱାରା ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ । ସମ୍ମାନୀୟ ଅତିଥି ତଥା ଆୟୁଷ ବିକାଶ ମଂଚର ସମ୍ପାଦକ ହିମାଂଶୁ ଶେଖର ଦାସ ଆୟୁଷ ଗ୍ରାମର ଉଦ୍ଦେଶ୍ୟ ଓ ପ୍ରତ୍ୟେକ ଘରେଘରେ ଔଷଧୀୟ ବୃକ୍ଷରୋପଣ କରିବାପାଇଁ ମତପ୍ରକାଶ କରିଥିଲେ । ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶିଅଳ ଏପରି ଏକ କାର୍ଯ୍ୟକ୍ରମ ହୋଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଉକ୍ତ ଶିବିରରେ ଭୀମପୁର, କୁଅଁରପୁର, କୁସୁମୁଳିପାହି ଆଦି ଗାଁର ୫୦୦ରୁ ଅଧିକ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ପାଇପାରିଥିଲେ । ଏହି ଚିକିତ୍ସା ଶିବିରରେ ଡା. ସ୍ୱରୂପ ପଟ୍ଟନାୟକ, ଡା. ରାଜୀବ ମାଝୀ, ଡା. ସମୀର ଛଟେଇ, ଡା. ତପସ୍ୱିନୀ ମିଶ୍ର, ଡା. ଜୟନ୍ତ ପ୍ରଧାନ, ଡା. ମୋଜାମିଲ ଅଲି ପ୍ରମୁଖ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସହାୟକ ଜ୍ୟୋତି ପାଣିଗ୍ରାହୀ, ପ୍ରଦୀପ ଶିଅଳ ସହଯୋଗ କରିଥିଲେ । ଯୋଗ ପ୍ରଶିକ୍ଷକ ମନୋଜ କୁମାର ଦେ ଓ ଦୀପ୍ତିକାନ୍ତ ଦାସ ଛାତ୍ରଛାତ୍ରୀମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ । ସର୍ବଶେଷରେ ହିମାଂଶୁ ଶେଖର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।