ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଉପରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ୟୁଏସ୍ଏଆଇଡ଼ି, ପିଏସ୍ଆଇ ଏବଂ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ମିଳିତ ସହଯୋଗରେ ବୁଧବାର ଦିନ ହୋଟେଲ କେଶରୀଠାରେ ଭୁବନେଶ୍ୱର ସମେତ ବିଶ୍ୱରେ ଦେଖା ଦେଇଥିବା ବାୟୁ ପ୍ରଦୂଷଣ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ବାୟୁ ପ୍ରଦୂଷଣ ଏକ ଜାତୀୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହା ଭାରତର ମୃତ୍ୟୁରେ ପଞ୍ଚମ ବୃହତ୍ତମ କାରଣ । ଦି ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୧୭ରୁ ବାୟୁ ପ୍ରଦୂଷଣରେ ୧.୨୪ ମିଲିୟନ ଭାରତୀୟ ମୃତ୍ୟୁବରଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧା ୭୦ ବର୍ଷରୁ କମ୍ ଥିଲେ । ଦୁନିଆର ୧୦ଟି ପ୍ରଦୂଷିତ ସହର ଭାରତରେ ଅଛି । ବର୍ତ୍ତମାନ ଆକଳନ ଅନୁଯାୟୀ ପରିବେଶ ଏବଂ ଘରୋଇ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ପ୍ରାୟ ୧.୨ ନିୟୁତ ଲୋକଙ୍କର ଅକାଳରେ ମୃତ୍ୟୁ ଘଟିଥାଏ । ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି ବୋଲି ପିଏସ୍ଆଇର ନିର୍ଦ୍ଦେଶକ ଦେବାଶିଷ ଦାସ କହିଛନ୍ତି ।ଏହି ଆଲୋଚନାଚକ୍ରରେ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ସଭାପତି ପ୍ରତାପ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପିଏସ୍ଆଇର ଚିକୁଲୋକ ଗରିବାଗ ଦେଶରେ ଦେଖାଦେଇଥିବା ବାୟୁ ପ୍ରଦୂଷଣ ଉପରେ ସୂଚନା ଦେଇଥିଲେ । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ ଡି.କେ ଦାସ, ଏସ୍.କେ ମଲ୍ଲିକ, ସୁଦର୍ଶନ ବାବୁ କହିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ସମସ୍ୟା ଉପରେ ବହୁ ପଦକ୍ଷେପ ନେବା ସହ ଲୋକମାନଙ୍କ ସୁବିଧା ପାଇଁ ଆମ୍ଭେମାନେ କାର୍ଯ୍ୟ କରୁଅଛୁ । ବିଏମ୍ସିର ମନୀଷା ମହାନ୍ତି କହିଲେ ଯେ, ବହୁ ସମୟରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବାୟୂ ପ୍ରଦୂଷଣ ନହେବା ପାଇଁ ସଦାସର୍ବଦା ଚେଷ୍ଟା ଜାରି ରହିଛି ଏବଂ ଆଗକୁ ଆହୁରି ଜାରି ରହିବ । ଅନ୍ୟମାନଙ୍କ ମଧ୍ୟରେ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡି.ଭି ରମଣ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ସ୍ତମ୍ଭକାର ଅମିୟ ପାଣ୍ଡବ, ସନାତନ ବେହେରା, ସଫେଇ କର୍ମଚାରୀ ନେତା ପ୍ରଦୀପ୍ତ ନାୟକ, କାହ୍ନୁଚରଣ ବେଉରା, ସାମ୍ବାଦିକ ସତୀଶ ମିଶ୍ର, କଲ୍ୟାଣ ନନ୍ଦ, ସିଫାର’ର ମମତା ସାହୁ, ଅଟୋ ମହାସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଦାସ, ପବନ ଆନନ୍ଦ ଓ ବହୁ ଏନ୍ଜିଓ ପ୍ରତିନିଧି, ସାମାଜିକ ସଂଗଠନ ପ୍ରତିନିଧି, ସାମ୍ବାଦିକ ବନ୍ଧୁ, ଶ୍ରମିକ ନେତା, ବସ୍ତି ସଂଘର୍ଷ ସମିତିର ପ୍ରତିନିଧି ପ୍ରମୁଖ ଯୋଗଦେଇ ବାୟୁ ପ୍ରଦୂଷଣ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆଗକୁ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ପରିଶେଷରେ ୟୁଏସ୍ଏଆଇଡ଼ିରର ସର୍ବଭାରତୀୟ ପ୍ରତିନିଧି ସୌମିତ୍ରୀ ଦାସ ସମସ୍ତ ଅତିଥିମାନଙ୍କୁ ବାୟୁ ପ୍ରଦୂଷଣ ଉପରେ ବୁଝାଇବା ବୁଝାଇଥିଲେ ।