ଭୁବନେଶ୍ୱର ନୟାପଲ୍ଲୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ନୟାପଲ୍ଲୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ହର୍ଷଉଲ୍ଲାସ ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲ୍ଲା ଡିଡବ୍ଲୁଓ ମନୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ କ୍ରିଡ଼ା ପ୍ରତି ଯତ୍ନବାନ କରାଇବା ସହ କ୍ରିଡ଼ାରେ କିପରି ଛାତ୍ରଛାତ୍ରୀମାନେ ବିକାଶ କରିପାରିବେ ଓ ମାନସିକ ଶକ୍ତିର ବିକାଶ ସହ ଶାରୀରିକ ବିକାଶ ଦିଗରେ କିପରି କ୍ରିଡ଼ାର ଆବଶ୍ୟକତା ଅଛି ସେ ନେଇ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ବିଶ୍ୱମୋହିନୀ ପତି ସବୁ ସମୟରେ ଛାତ୍ରଛାତ୍ରୀମାନଙ୍କୁ କ୍ରିଡ଼ା ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିବା ସହ ବିଦ୍ୟାଳୟରୁ କିପରି ଭଲ କ୍ରିଡ଼ାବିତ ସୃଷ୍ଟି କରାଯାଇ ପାରିବ ସେ ଦିଗରେ ସବୁ ସମୟରେ ସେ ଯତ୍ନବାନ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଯୁବ ସମାଜସେବୀ ବିବେକାନନ୍ଦ ବାରିକ ଯୋଗଦେଇ ନିଜ ସମୟରେ ବିଦ୍ୟାଳୟରେ କ୍ରିଡ଼ା ପ୍ରୋତ୍ସାହନ ଓ ବର୍ତ୍ତମାନ ସମୟରେ ଅନେକ କିଛି ପରିବର୍ତ୍ତନ ସହ କ୍ରିଡ଼ା ପ୍ରତି ବଢୁଥିବା ଗରୁତ୍ୱ ନିଶ୍ଚିତ ଆଗାମୀ ଦିନରେ ଏଡି ବିଦ୍ୟାଳୟକୁ ଆଗକୁ ନେଇପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ଚଳଚ୍ଚିତ୍ର ଜଗତର ଯୁବ ସିନେତାରକା ରାକେଶ ସିଂଦେଓ ଯୋଗଦେଇ ଏକ ସୁସ୍ଥ ମାନସିକତା ପାଇଁ କ୍ରିଡ଼ାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ତିନୋଟି ବିଭାଗରେ ସମସ୍ତ କ୍ରିଡ଼ା ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା ବେଳେ ସମସ୍ତ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।