ଭୂତଙ୍କୁ ଆବାସ ପ୍ରଦାନ ଘଟଣା, ବ୍ଲକ ପକ୍ଷରୁ ତଦନ୍ତ ଆରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ ଭୂତହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଏ ସମ୍ପର୍କିତ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ହଜାର ମସିହାରେ ଆବାସ ଯୋଜନା କେଳଙ୍କାରୀ ପାଇଁ ସମଗ୍ର ରାଜ୍ୟରେ ଚର୍ଚ୍ଚିତ ହୋଇଥିବା ଏହି ବ୍ଳକରେ ଅନେକ କଟକଣା ସତ୍ତ୍ୱେ ପୁନର୍ବାର କିପରି ଏମିତି ଦୁର୍ନୀତି ହେଲା ତାହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ହାଟଡିହି ବ୍ଳକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏ.ପି.ଓ ଏବଂ ଏ.ଏଫ.ଓଙ୍କୁ ପଠାଇ ଏହାର ତଦନ୍ତ କରାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଘରର ଦୁଇଟି ଫଟୋ ଉଠାଯାଇ ଭିନ୍ନ ଭିନ୍ନ ଫାଇଲରେ ଲଗାଯାଇ ଏହି ଅନୁଦାନ ଉଠାଯାଇଥିବା ଜଣାଯାଇଛି। ବିଡିଓ ବ୍ଲକର ବିପିସିଙ୍କ ଠାରୁ ଫାଇଲ ମଗାଇଥିଲେ ମଧ୍ୟ ବିପିସି ନିରଞ୍ଜନ ବାରିକ ଆଜି ବିନାନୁମତିରେ ଅଫିସ ଆସି ନଥିବାରୁ ଫାଇଲରେ କାହାର ଆଧାର ଓ କାହାର ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦିଆଯାଇଛି ଜଣାପଡି ନାହିଁ ବୋଲି ବିଡିଓ କହିଛନ୍ତି। ଏହି ଅନୁଦାନ ରାଶି ଓରାଳି ଗ୍ରାମର ମାନସ ମହାନ୍ତିଙ୍କ ଏକାଉଣ୍ଟକୁ ଯାଇଥିବା ଜଣାଯାଇଛି। ତାଙ୍କର ଭିନ୍ନ ଏକାଉଣ୍ଟ ହୋଇଥିବା ବେଳେ ଆଧାର ବେସ ରେ ତାଙ୍କ ଏକାଉଣ୍ଟକୁ ଏହି ଅନୁଦାନ ଯାଇଛି। ଅନ୍ୟ ପକ୍ଷରେ ଏହି ଗୋଟିଏ ନୁହଁ ଏହିପଞ୍ଚାୟତରେ ଏପରି ଅନେକ ଅନିୟମିତତା ହୋଇଥିବା ନେଇ ସରପଞ୍ଚ ସସ୍ମିତା ଓଝା ଅଭିଯୋଗ କରିଛନ୍ତି।କରଞ୍ଜବାଟି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ୨ଟି ଆବାସ ଯୋଜନା ଘର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ଏପରି ଅନେକ ଦୁନ୍ନୀତି ହୋଇଛି ବୋଲି ସେ କହିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଗତ ୨୦୨୨/୨୩ ବର୍ଷରେ ଦିଆଯାଇଥିବା ସମସ୍ତ ଆବାସ ଯୋଜନାର ତଦନ୍ତ କରିବାକୁ ଦାବି ହୋଇଛି। ଏଠାରେ ସୁଚନାଯୋଗ୍ୟଯେ ପନ୍ଦାଡୋ ପଞ୍ଚାୟତ ସରଳାପସି ଗ୍ରାମର ଜଣେ ରାମ ମୁଣ୍ଡା, ପିତା- ପ୍ରସନ୍ନ ମୁଣ୍ଡା ଥିବାବେଳେ ତାଙ୍କୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯାଇଛି। ସେ ମଧ୍ୟ ଘର ନିର୍ମାଣ କରିଛନ୍ତି। କିନ୍ତୁ ସେହି ଗ୍ରାମର ରାମ ମୁଣ୍ଡା, ପିତା- ପ୍ରସାନ୍ତ ମୁଣ୍ଡା ବୋଲି କେହି ବ୍ୟକ୍ତି ନଥିବା ବେଳେ ତାଙ୍କ ନାମରେ ସ୍ୱତନ୍ତ୍ର ଆଇଡି ଖୋଲାଯାଇ ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯାଇ ଛାତ ଲେବୁଲ ପର୍ଯ୍ୟନ୍ତ ଘର ହୋଇଥିବା ଦୁଇ ଦୁଇଟି କିସ୍ତି ପ୍ରଦାନ କରାଯାଇଛି।