ଭୂତଲାଉ!
ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ । ଏହା ଭୂତପ୍ରେତଙ୍କ କାମ ବାଲି ମନରେ ଧାରଣା ଆସିବ । ଠିକ୍ ଏମିତି ଏକ ଘଟଣା ଘଟିଛି ପାଟଣାର ଜଣେ ବ୍ୟକ୍ତିଙ୍କ ଘରେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ବ୍ୟକ୍ତିଙ୍କ ଘରେ ଫ୍ରିଜ୍ରେ ରଖାଯାଇଥିବା ଲାଉର ଆକାର ରାତାରାତି ଏତେ ବଢ଼ିଯାଇଛି ଯାହା ଦେଖି ତାଙ୍କ ସ୍ତ୍ରୀ ଡରିଗଲେ । ଆଉ ଭୂତ ପ୍ରେତ କହି ହୋ-ହଲ୍ଲା କଲେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପରେ ରାଗିପାଚି ଲାଲ ହୋଇଗଲେ । କେଉଁଠୁ ଏମିତି ଭୂତ ଲାଉ ଆଣିଛ ବୋଲି ପଚାରିଲେ । ଏହି ଲାଉରେ ଭୂତ ଅଛି । ଘରେ ଆଉ ମୁହୂର୍ତ୍ତେ ରହିବେ ନାହିଁ ବୋଲି ସ୍ୱାମୀଙ୍କୁ ରୋକ୍ଠୋକ୍ ଶୁଣାଇଦେଲେ । ଲାଉର ଆକାର ଏତେ ବଢ଼ିଯାଇଥିବା ଦେଖି ବ୍ୟକ୍ତି ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଶୁଣି ପଡ଼ୋଶୀମାନେ ଚାଲି ଆସିଲେ । ଏହା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଭିଡ଼ ଭିତରୁ ଜଣେ ବ୍ୟକ୍ତି କହିଲେ, ଆଜିକାଲି ବ୍ୟବସାୟୀମାନେ ପନିପରିବାର ଆକାର ବଢ଼ାଇବା ପାଇଁ ଇଞ୍ଜେକ୍ସନ ଦେଉଛନ୍ତି । ଏହି କାରଣରୁ ଲାଉର ଆକାର ବୃଦ୍ଧି ଘଟି ଥାଇପାରେ । ମହିଳା ଜଣଙ୍କ କହିଲେ, ତାଙ୍କ ସ୍ୱାମୀ ଆଣିଥିବା ୧ କିଲୋ ଲାଉରୁ ସେ ରାତିରେ ଅଧା ରୋଷେଇ କରିଥିଲେ । ସକାଳୁ ଫ୍ରିଜ୍ ଖୋଲି ଦେଖିବାରୁ ଏହାର ଆକାର ଦେଢ଼ କିଲୋରୁ ଅଧିକ ହୋଇଥିବା ଦେଖିବାକୁ ପାଇଥିଲେ ।


