ଭୂତ ପ୍ରେତ ଗୁଣିଗାରେଡି ପ୍ରମାଣ କରିପାରିଲେ ମିଳିବ ପୁରସ୍କାର
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁ ଆବେଗ ରହିଛି । ଯାହାଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନଯାଇ ଗୁଣି ଗାରେଡି ପ୍ରତି ଆଗ୍ରହ ଦେଖାଉଛନ୍ତି । କାହାର କିଛି ପାରିବାରିକ ଅସୁବିଧା ହେଲେ ପାଖ ପଡିଶା ଗୁଣି ଗାରେଡି କରିଦେଇଛି ବୋଲି ଭ୍ରାନ୍ତ ଧାରଣା ନେଇ ଗଣ୍ଡଗୋଳର ସୁତ୍ରପାତ ହେଉଛି ଏବଂ ବେଳେ ବେଳେ ହତ୍ୟାକାଣ୍ଡ ମଧ୍ୟ ଘଟିଯାଉଛି । ଲୋକମାନେ ନିଜର ସମ୍ପତ୍ତି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା, ପରିବାର ଲୋକଙ୍କ ରୋଗ ଭଲ କରିବା ପ୍ରଭୃତି କାର୍ଯ୍ୟ ପାଇଁ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି । ଗୁଣିଆର ପ୍ରରୋଚନାରେ କେତେଜଣ ନିଜର ଜ୍ଞାତି କୁଟୁମ୍ବ କୁ ମଧ୍ୟ ବଳି ଦେଉଛନ୍ତି । ବେଳେ ବେଳେ ମଣିଷର ମାନସିକ ବିକାର ଦେଖାଦିଏ । ବିଜ୍ଞାନ ସମ୍ମତ ଭାବରେ ଏହାଏକ ରୋଗ । ଏପରି ରୋଗୀକୁ ଚିକିତ୍ସା ନକରି ଲୋକମାନେ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି । ଗୁଣିଆ ମଧ୍ୟ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହିତ ଆର୍ଥିକ ଶୋଷଣ କରୁଛନ୍ତି । ଗୁଣିଗାରେଡିକୁ ଗୁରୁତ୍ୱ ନଦେବା ଏବଂ ଏ ବାବଦରେ ଅନ୍ୟକୁ ଦୋଷାରୋପ ନ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହା ସତ୍ୱେ ମଧ୍ୟ ଜନ ସାଧାରଣଙ୍କ ଭ୍ରାନ୍ତ ଧାରଣା ଦୂର ହେଉନାହଁ ି । ମୋବାଇଲ ମେସଜ ମାଧ୍ୟମରେ ଜିଲ୍ଲା କର୍ମକର୍ତାଙ୍କ ପାଖକୁ ଗୁଣିଗାରେଡି ବାବଦରେ ଖବର ପହଂଚୁଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଗୁଣି ଗାରେଡି ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆଗତ ହେଉଛି । ଭୂତ ପ୍ରେତ ଗୁଣିଗାରେଡିର କୈାଣସି ସତ୍ୟାସତ୍ୟ ଖବର ଜାଣିବା ପାଇଁ ଜିଲ୍ଲା ଅଧିକାରୀ ବିଭିନ୍ନ ସ୍ତରରେ ଅନୁସନ୍ଧାନ କରି ଏହାର ବାସ୍ତବାତ କିଛି ନଥିବା ହୃଦୟଙ୍ଗମ କରୁଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟକ୍ତିଗତ ଭାବରେ ଏପରି ସ୍ଥିତିର ସମ୍ମୁଖୀନ ହୋଇ ଜିଲ୍ଲାବାସୀଙ୍କୁ ପ୍ରାମାଣିକ ତଥ୍ୟ ଦେବାପାଇଁ ଗୁଣିଗାରେଡି ଭୂତପ୍ରେତ ବାବଦରେ ଜିଲ୍ଲାର କୈାଣସି ବ୍ୟକ୍ତି ବଳିଷ୍ଠ ପ୍ରମାଣ ଦେଇପାରିଲେ ତାଙ୍କୁ ୫୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମୁିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି । ଏହାସହ ଜିଲ୍ଲାରେ ଭୁତ ପ୍ରେତ ଗୁଣି ଗାରେଡିକୁ ନେଇ ସଚେତନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାମଗ୍ରୀକ ଭାବେ ଅଙ୍ଗନବାଡି, ଛାତ୍ରଛାତ୍ରୀ , ସ୍ୱଂୟ ସହାୟିକା ମହିଳା ଗୋଷ୍ଠୀ, ଲୋକକଳା କଳାକାର ଓ ଜନସାଧାରଣଙ୍କ ସହାୟତା ନେଇ ସଚେତନତା କାର୍ଯ୍ୟ କ୍ରମ ଆହୁରୀ ତୀବ୍ର କରାଯିବ । ବୁଗୁଡା ଠାରେ ଏକ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ପ୍ରେତଆତ୍ମା ଉଦାହରଣ ଦେଇ ଏଥିରୁ ସମସ୍ତେ ନିବୃତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯିବ ବୋଲି ସେ କହିଥିଲେ ।