ଭେଟଖୋଲ ଘାଟିରେ ମାତିଲେ ଡ଼କାୟତ; ୨ ଭାଇ ଅଟକ, ୪ ଫେରାର୍,ତଦନ୍ତ ଅବ୍ୟାହତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ଭେଟଖୋଲ ଘାଟିରେ ପୁଣି ମାତିଛନ୍ତି ଡ଼କାୟତ । ଏକ ମାମଲାରେ ପୁଲିସ୍ ଆଜି ହୋଇଥିବା ୨ଟି ଅଭିଯୋଗ ପ୍ରକାରେ ସଦର ପୁଲିସ୍ ୨ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ୪ ଜଣ ଫେରାର୍ ହୋଇଯାଇଥିବା ଥାନା ସୂତ୍ରରୁ ପ୍ରକାଶ । ଖବର ପ୍ରକାରେ, ପୂର୍ବରୁ ଉକ୍ତ ଘାଟିରେ ବାରମ୍ବାର ଡ଼କୟତି ହେଉଥିବା ବେଳେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାହା କମିଯାଇଥିଲା । ତେବେ ଉକ୍ତ ରାସ୍ତାରେ ବର୍ତ୍ତମାନ ପ୍ରତ୍ୟେକ ଦିନ ବରଗଡ଼ ଅଞ୍ଚଳର ବିିଭିନ୍ନ ପ୍ରକାର ପରିବା ଗାଡ଼ି ଆସୁଥିବା ବେଳେ ଏହାକୁ ଟାର୍ଗେଟ କରି ପୁଣିଥରେ ଆରମ୍ଭ ହୋଇଛି ଡ଼କାୟତି । ଗତକାଲି ରାତ୍ରରେ ୨ଟି ବାଇଗଣ ବୋଝେଇ ଗାଡ଼ି ଆସୁଥିବା ବେଳେ ବିଳମ୍ବିତ ରାତ୍ରରେ ଭେଟଖୋଲ ଘାଟିରେ ୬ ଜଣ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଗୋଟିଏ ଗାଡ଼ିରୁ ୧୧ ହଜାର ଓ ଅନ୍ୟଏକ ଗାଡ଼ିରୁ ୧୭ ହଜାର ଟଙ୍କା ଲୁଟ୍ କରିଥିଲେ । ଏନେଇ ଉଭୟ ଗାଡ଼ିର ଗାଡ଼ି ଚାଳକ ମାନେ ସଦରଥାନାରେ ଲିଖିତ ଭାବେ ଅଭିଯୋଗ ପ୍ରକାରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ସଦରଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀଙ୍କ ନେତୃତ୍ୱରେ ବିିଭିନ୍ନ ସ୍ଥାନରେ ଆଜି ଚଢାଉ କରାଯାଇ ଏହି ଘଟଣାରେ ୨ ଜଣକୁ ଅଟକ ରଖାଯାଇଛି । ୨ଜଣ ଦୁଇ ଭାଇ ବୋଲି ପୁଲିସ୍ ପ୍ରକାଶ କରିଥିବା ବେଳେ ଜଣେ ନାବାଳକ ଅଟନ୍ତି । ତେବେ ଏହି ମାନଙ୍କ ଠାରୁ ପୁଲିସ୍ ଟଙ୍କା ଉଦ୍ଧାର କରିପାରିନଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅନ୍ୟ ୪ ଜଣକୁ ପୁଲିସ୍ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଝାଇଥିବା ପ୍ରକାଶ । ଏହି ଘଟଣା ପରେ ପୁଣିଥରେ ସଂପୃକ୍ତ ରାସ୍ତାରେ ଆସୁଥିବା ଯାନ ବାହାନ ଗୁଡ଼ିକ ମଧ୍ୟରେ ଭାଳେଣି ପଡ଼ିଛି ।