ଭୋକରେ ଉପାସରେ ଦିନ କାଟୁଛନ୍ତି ସାବିତ୍ରୀ, ପ୍ରଶାସନର ପ୍ରତିଶୃତି ପାଣିର ଗାର ହୋଇଛି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା ସାବିତ୍ରୀ ଜେନା(୫୪) । ପର ଘରେ ଗୁହାଳ ଖୋଲି ଜୀବନ ବିତାଉଛନ୍ତି । ଦୀର୍ଘ ୧୦ ବର୍ଷ ପୂର୍ବେ ସ୍ୱାମୀ ତାଙ୍କୁ ଛାଡି ଚାଲି ଯାଇଥିବା ବେଳେ ନିଜର ବୋଲି କେହି ନାହାନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବା ବେଳେ ଚଳିବା ପାଇଁ ସରକାରୀ ଭତ୍ତା ପାଉନାହାନ୍ତି । ଭଙ୍ଗା କୁଡିଆରେ ଭୋକ ଉପାସରେ ତାଙ୍କର ଦିନ ବିତୁଛି । ନାମକୁ ମାତ୍ର ସରକାରୀ ଭାବେ ଚାଉଳ ମୁଠାଏ ପାଉଛନ୍ତି । ଅସରାଏ ବର୍ଷାରେ ଘରେ ଆଣ୍ଠୁଏ ପାଣି ଠିଆ ହେଉଛି । କରୋନା ମହାମାରୀ ସମୟରେ ଭୋକ ଉପାସରେ ଦିନ କାଟୁଛନ୍ତି । ସାବିତ୍ରୀଙ୍କ ସମସ୍ୟା ସଂପର୍କରେ ଗତ କିଛି ମାସ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ପ୍ରଶାସନ ସାବିତ୍ରୀଙ୍କ ଠାରେ ପହଞ୍ôଚ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲା । ମାତ୍ର ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କିଛି ଦିନ ପୂର୍ବେ ସାବିତ୍ରୀଙ୍କ ମୁଣ୍ଡରେ ଏକ ବଥ ହୋଇ ପୋକ ହୋଇଯାଇଥିଲା । କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାହା କିଛି ମାତ୍ରାରେ ଭଲ ହୋଇଛି । ବର୍ତ୍ତମାନ କରୋନା ପରିସ୍ଥିତିରେ ଔଷଧ କିଣିବା ପାଇଁ ପାଖରେ କାଣି କଉଡି ନାହିଁ । ଫଳରେ ଦିନକୁ ଦିନ ତାଙ୍କର ଯନ୍ତଣା ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସାବିତ୍ରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।