ଭୋକ ଉପାସରେ ଜୀବନ ବିତୁଛି
କୁଚିଣ୍ଡା:(ଲିପନ ନାଏକ ) ରାଜ୍ୟ ସରକାର ଗରିବ ଓ ଅସହାୟଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ତେବେ ବୟସର ଅପରାହ୍ନରେ ବେସାହାରା ବୃଦ୍ଧା ମା ଓ ଝିଅଙ୍କୁ ସହାୟତା ମିଳିବାରେ ବାଧକ ସାଜିଛି ସରକାରୀ ନିୟମ l ସାହାରା ନ ଥିବାରୁ ପରିଣତ ବୟସରେ ଆବାସ, ପିଡ଼ିଏସ୍ ଚାଉଳ, ଓ ଭତ୍ତାରୁ ବଞ୍ଚିତ ବୃଦ୍ଧା ମା ଓ ଝିଅଙ୍କ ଜୀବନ ବିତୁଛି ପର ବାରଣ୍ଡାରେ l ଭୋକ ଉପାସରେ ଅସହାୟ ଜୀବନ ବିତାଉଥିବା ବୃଦ୍ଧା ମା ଓ ଝିଅଙ୍କ ପାଇଁ ଅନ୍ଧ, ମୂକ ଓ ବଧିର ପାଲଟିଛି ପ୍ରଶାସନ l ଶୀତ କାକରରେ ପରଘର ଓଳି ତଳେ କଟୁଛି ପରିଣତ ବୟସରେ ବେସାହାରା ଜୀବନ l ବିକାଶର ଏମିତି ବିକଳ ଚିତ୍ର କେଉଁ ଅପହଞ୍ଚ ଗ୍ରାମଞ୍ଚଳ ନୁହେଁ ଖୋଦ ବ୍ଲକ ପ୍ରଶାସନ ନାକ ତଳେ ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତ ଲାଡ଼ ଗ୍ରାମର ସ୍ୱର୍ଗତ ଭୁବନେଶ୍ୱର ନାଏକଙ୍କ ବହୁ ବର୍ଷ ତଳେ ପରଲୋକ ହୋଇଯାଇଛି l ଏକମାତ୍ର ପୁଅ ବିବାହ ପରେ ଅନ୍ୟତ୍ର ରୋଷେଇ କରି ରହୁଥିବା ବେଳେ ବୃଦ୍ଧା ମା ଓ ଭିନ୍ନକ୍ଷମ ବିକଳାଙ୍ଗ ବଡ଼ଭଉଣୀଙ୍କୁ ଘରରୁ ଅଲଗା କରି ଦେଇଥିଲା l ବୃଦ୍ଧା ମା ବନବାସୀ ନାଏକ(୮୪) ଏବଂ ଝିଅ ଯଶୋବନ୍ତି ନାଏକ(୬୪) ଏବେ ବେସାହାରା ହୋଇଯାଇଛନ୍ତି l ଝିଅ ପର ଘରେ କାମକରି ମା ଓ ଝିଅ ଗୁଜୁରାଣ ମେଣ୍ଟାଉଛନ୍ତି l ବନବାସୀ ନାଏକ ପରିଣତ ବୟସରେ କାମ କରିପାରୁ ନାହାନ୍ତି l ପ୍ରଥମେ ବୃଦ୍ଧା ମା ଓ ଝିଅଙ୍କୁ ପଞ୍ଚାୟତ ପକ୍ଷରୁ ରାସନକାର୍ଡ଼ରୁ ପିଡ଼ିଏସ୍ ଚାଉଳ ଓ ଭତ୍ତା ମିଳୁଥିଲା l ଚଳିତ ମାସ ପିଡ଼ିଏସ୍ ଚାଉଳ ନେବାକୁ ବୃଦ୍ଧା ମା ଓ ଭିନ୍ନକ୍ଷମ ଝିଅ ପଞ୍ଚାୟତ ଯାଇଥିଲେ l ସେଠାରେ ମା ଓ ଝିଅଙ୍କ ଫିଙ୍ଗର ପ୍ରିଣ୍ଟ ନ ଆସିବାରୁ ଯୋଗାଣ ସହାୟକ ତମକୁ ଚାଉଳ ମିଳିବ ନାହିଁ ବୋଲି ଫେରାଇ ଦେଇଥିଲେ l ଆଉ ଆବାସ ମିଳିବା ସାତ ସପନ ହୋଇଯାଇଛି l ବର୍ତ୍ତମାନ ସ୍ଥିତିରେ ପେଟ ପୋଷିବା କାଠିକର ପାଠ ହୋଇଥିବା ବେଳେ ସାହାରା ନ ଥିବାରୁ ଭତ୍ତା ଟଙ୍କା ନେବା ପାଇଁ ପିଇଓ ବ୍ୟାଙ୍କକୁ ଯିବାକୁ କହିଥିଲେ ବ୍ୟାଙ୍କରେ ମଧ୍ୟ ଫିଙ୍ଗର ପ୍ରିଣ୍ଟ ନ ଆସିବାରୁ ମା ଓ ଝିଅଙ୍କ ଭତ୍ତା ଟଙ୍କା ମିଳୁଛି କି ନାହିଁ ଜାଣିନ ପାରୁଥିବା ବୃଦ୍ଧା ମା ଓ ଝିଅ କହିଛନ୍ତି l ତେବେ ସରକାରୀ ନିୟମରେ ବନ୍ଧା ପ୍ରଶାସନ ବିନା ଫିଙ୍ଗର ପ୍ରିଣ୍ଟରେ ଆହାର ମୁଠାଏ ଓ ଭତ୍ତା ଦେବା ପାଇଁ କୁଣ୍ଠାବୋଧ କରୁଥିବା ସାହି ବାସିନ୍ଦା କହିଛନ୍ତି l ଭୋଟ ସମୟରେ ସାହି ଗଳିରେ ବୁଲି ହାତୀ ଦେବୁ ଘୋଡ଼ା ଦେବୁ କହୁଥିବା ନେତାଙ୍କ ଭୋଟ ପରେ ଭେଟ ମିଳିପାରୁ ନାହିଁ l ତେବେ ବେସାହାରା ବୃଦ୍ଧା ମା ଓ ଭିନ୍ନକ୍ଷମ ବିକଳାଙ୍ଗ ଝିଅ କାହା ସାହାରାରେ ସରକାରୀ ଆବଶ୍ୟକତା ପୂରଣ କରିବେ ଓ ପେଟକୁ ମୁଠାଏ ଦାନା ଓ ଭତ୍ତା ପାଇବେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି l ଏଦିଗରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି l