ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା
ବାଲେଶ୍ୱର, (ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାରେ ଏବେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏ ସଂକ୍ରାନ୍ତରେ ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ହୋଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବିଶେଷ କରି ଚଳିତମାସ ୨୮ ଓ ୨୯ ତାରିଖ ଏବଂ ଆସନ୍ତା ଡିସେମ୍ବର ୫ ଓ ୬ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ବୁଥରେ ରାଜନୈତିକ ଦଳର ଏଜେଂଟମାନେ ରହି ବୁଥସ୍ତରୀୟ ଅଧିକାରୀମାନଙ୍କ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରତି ବୁଥରେ ଏବେ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଅନୁଧ୍ୟାନ କରିବା ସହିତ ସେଥିରେ କିଛି ତ୍ରୁଟି ଥିଲେ ତାହା କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଏବଂ ସଂଶୋଧନ ପାଇଁ ଭୋଟରଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କହିଥିଲେ । ଆସନ୍ତା ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ନୂତନ ଯୁବ ଭୋଟରମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ସେଥିପ୍ରତି ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁମାନଙ୍କର ବୟସ ୦୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ବୟସ ହୋଇଛି ସେମାନେ ୬ ନମ୍ବର ଫର୍ମ ମାଧ୍ୟମରେ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ରାଜନୈତିକ ଦଳ ପ୍ରତିନିଧିମାନଙ୍କ ବିଭିନ୍ନ ସନ୍ଦେହ ଦୂର କରିଥିଲେ । ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ ଫର୍ମକୁ କିଭଳି ଠିକ ଢଙ୍ଗରେ ବ୍ୟବହାର କରିହେବ ତାହା ଉପରେ ସେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଶ୍ରୀ ସତ୍ୟଜିତ ମହାନ୍ତି, ଶ୍ରୀ ମନୋଜ ସେନାପତି, ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ଭୁବନାନନ୍ଦ ଦାସ, ଭାଗବତ ପ୍ରତିହାରୀ, ଶ୍ରୀ କେଶବ କୁମାର ଆଚାର୍ଯ୍ୟ, ଶ୍ରୀ ସନତ କୁ୍ମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।