ଭୋଟ୍ ବ୍ୟାଙ୍କ ନାଁରେ ବିଜେଡିର ରାଜନୀତିକୁ ବିରୋଧ କରିବ ବିଜେପି
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୈାସୁମୀ ଅଧିବେଶନରେ ଆଲୋଚନା କରିବ । ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ । ବିଶେଷ ଭାବେ ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସି / ଏସ୍ଇବିସି ସଂରକ୍ଷଣ, ପଶ୍ଚିମ ଓଡିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ ବୋଲି ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସୂଚନା ଦେଇ କହିଛନ୍ତି ।
ଆସନ୍ତା କାଲିଠୁ ମୈାସୁମୀକାଳୀନ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ବିଧାୟକ ଦଳର ବୈଠକ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ନ ମରୁଡି ପରିସ୍ଥିତିକୁ ମୁକାବିଲା ପାଇଁ ଗଠିତ ବିଜେପିର ୪ଟି ଟିମ୍ ର ରିପୋର୍ଟ ହସ୍ତଗତ ହେବାପରେ ବିଧାନସଭା ଗୃହରେ ଏ ସଂପର୍କରେ ମଧ୍ୟ ଆଲୋଚନା କରାଯିବ । ସେହିପରି ଦିନ ଦ୍ୱିପ୍ରହରରେ ବିଚ୍ ରାଜରାସ୍ତାରେ ହତ୍ୟା, ରାହାଜାନୀ ଏବଂ ଏ ସମସ୍ତ ଘଟଣାରେ ଶାସକ ବିଜେଡିର ମନ୍ତ୍ରୀ, ନେତା ଓ କର୍ମୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି, ଦୁଇ-ତିନି ଦିନ ତଳେ ବାଲେଶ୍ୱରରେ ବିଚ୍ ରାସ୍ତାରେ ହତ୍ୟା, ବହୁଚର୍ଚ୍ଚିତ ମାନସ ଦାସ୍ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି, ମାହାଙ୍ଗା ଡବଲ ମର୍ଡର ତଦନ୍ତ ଘଟଣାରେ ଚଂଚକତା ଆଦି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟ ସରକାରଙ୍କ ପଛୁଆ ଓ ଆର୍ଥିକ ଅନଗ୍ରସର ସଂରକ୍ଷଣ କ୍ଷେତ୍ରରେ ପଛଘୁଂଚା ଦେବା ପ୍ରସଙ୍ଗରେ ବିଜେପି ତରଫରୁ ପ୍ରଶ୍ନ କରାଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇ କହିଛନ୍ତି ।
ଭୋଟ୍ ବ୍ୟାଂକ ନାଁରେ ବିଜେଡିର ରାଜନୀତିକୁ ବିଜେପି ତରଫରୁ ବିରୋଧ କରାଯିବ । କରୋନା ସଂକଟ ସମୟରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ନାଁରେ ଶାସକ ବିଜେଡି ସାଧାରଣ ଗରୀବଲୋକଙ୍କୁ ପ୍ରତାରଣା କରିବା ସହ କେବଳ ଭୋଟ ବ୍ୟାଂକ ରାଜନୀତି କରୁଛି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା ଶାସକ ବିଜେଡିର ମାନସିକତା କାରଣରୁ ଆଜି ରାଜ୍ୟବାସୀ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବାରୁ ବଂଚିତ ହେଉଛନ୍ତି ।
ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ ।