ଭୟଙ୍କର ରୂପ ନେଉଛି “ମହା’ ୬ରେ ଗୁଜରାଟ ତଟରେ ମାଡ଼ ହେବ

ନୂଆଦିଲ୍ଲୀ: ଆରବ ସାଗରରେ ଏକାଥରକେ ସୃଷ୍ଟି ହୋଇଥିବା ଦୁଇଟି ବାତ୍ୟା “କ୍ୟାର୍‌’ ଏବଂ “ମହା’ ସମସ୍ତଙ୍କୁ ବିସ୍ମିତ କରିଛି । ଉପଗ୍ରହ ଛବିରେ ମଧ୍ୟ ଦୁଇଟି ବାତ୍ୟାକୁ ଦେଖିବାକୁ ମିଳିଛି । ଉପଗ୍ରହ ଛବିରେ ଦୁଇଟି ବାତ୍ୟା ଏକାସାଂଗରେ ଦୃଶ୍ୟମାନ ହେବା ଏକ ବିରଳ ବିସ୍ମୟ ବୋଲି କୁହାଯାଉଛି । କ୍ୟାର୍ କ୍ରମଶଃ ଘନୀଭୂତ ହେବାରେ ଲାଗିଥିବାବେଳେ “ମହା’ ଏବେ ଭୀଷଣ ବାତ୍ୟାରେ ପରିଣତ ହେବାରେ ଲାଗିଛି । “ମହା’ ଘଣ୍ଟା ପ୍ରତି ୧୭ କିମି ବେଗରେ ଉତ୍ତର- ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି ଏବଂ ୬ ତାରିଖ ଦିନ ଏହା ଗୁଜରାଟ ତଟରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ବାତ୍ୟାର ସଠିକ୍ ସ୍ଥିତି ଏବଂ ଗତିପଥ ନେଇ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି । ବାତ୍ୟା “ମହା’ ଭୟଙ୍କର ରୂପ ନେଇସାରିଛି ଏବଂ ଏହାର ପ୍ରଭାବରେ ଲକ୍ଷାଦ୍ୱୀପରେ ପ୍ରବଳ ବର୍ଷା ଲାଗି ରହିଛି । ମହା ଏବେ ଲକ୍ଷାଦ୍ୱୀପ ଉପରେ ରହିଛି ଏବଂ ଏଠାରୁ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ମଧ୍ୟ ଏହାର ପ୍ରଭାବ ରହିବ । ଗୁଜରାଟର ଅଧିକାଂଶ ଅଂଚଳରେ ନଭେମ୍ବର ୬ରୁ ୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ତେଣୁ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥର ମୌସୁମୀରେ ଗୁଜରାଟ ଏବଂ ପୂର୍ବ ଉପକୂଳରେ ୩ଟି ବାତ୍ୟା ମାଡ଼ ହେବା ଅଭାବନୀୟ ଘଟଣା ହୋଇଥିବାବେଳେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ବ୍ୟାପକ ଫସଲହାନି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ