ପରିବହନ କମିସନରଙ୍କ ନୂଆ ସର୍କୁଲାର
ଭୁବନେଶ୍ୱର: ଏଣିକି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ି ପଞ୍ଜୀକରଣ କରିହେବ । ସଂଶୋଧିତ ମୋଟର ଯାନ ଆଇନର ବ୍ୟବସ୍ଥା ନେଇ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଇଁ ନୂଆ ସର୍କୁଲାର ଜାରି କରିଛନ୍ତି ରାଜ୍ୟ ପରିବାହନ କମିସନର । ଗାଡ଼ି ପଞ୍ଜୀକରଣ ନେଇ ଗାଡ଼ି ମାଲିକଙ୍କୁ କିଛି ଆରଟିଓ ସମ୍ପୃକ୍ତ ଅଞ୍ଚଳର ଠିକଣା ପ୍ରମାଣ ପତ୍ର ମାଗୁଥିବା ନେଇ ଅଭିଯୋଗ ହେବା ପରେ ପରିବହନ କମିସନର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ସହିତ ରାଜ୍ୟ ଭିତରେ ଥିବା ଯେକୌଣସି ଆରଟିଓ ଅଫିସରୁ ଲର୍ଣ୍ଣିଂ ଲାଇସେନ୍ସ ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ ବୋଲି କମିସନର ଜଣାଇଛନ୍ତି । ସର୍କୁଲାର ଅନୁଯାୟୀ ୨୦୧୯ ରେ ସଂଶୋଧିତ ମୋଟର ଯାନ ଆଇନ ୧୯୮୮ ମୁତାବକ ସମଗ୍ର ରାଜ୍ୟକୁ ଏକକ ୟୁନିଟ ଭାବେ ବିବେଚନା କରାଯାଇଛି । ଫଳରେ ରାଜ୍ୟରେ ଥିବା ଯେକୌଣସି ଆରଟିଓ କାର୍ଯ୍ୟାଳୟରେ ଯେ କୌଣସି ଗାଡ଼ି ମାଲିକ ଗାଡ଼ିର ପଞ୍ଜୀକରଣ, ଡ୍ରାଇଭିହ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କିନ୍ତୁ ଆଇନର ସଂଶୋଧିତ ବ୍ୟବସ୍ଥା ବିଷୟରେ କିଛି ଆରଟିଓ ଅଜ୍ଞ ଥିବାରୁ ଏହି ସୁବିଧା ଲୋକଙ୍କୁ ମିଳିପାରୁନି । ତୁରନ୍ତ ଏହି ସୁବିଧା ଲୋକଙ୍କୁ ଯୋଗାଇ ଦେବାକୁ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ ଗୋଟିଏ ସ୍ଥାନରେ ଗାଡ଼ି କିଣା ହୋଇଥିଲେ ବି ଗାଡ଼ି ମାଲିକ ନିଜର ପରିଚୟ ଓ ଠିକଣା ପ୍ରମାଣ ପତ୍ରର ନକଲ ଦାଖଲ କରି ରାଜ୍ୟର ଯେକୌଣସି ଆରଟିଓ ଅଫିସରେ ଗାଡ଼ିର କାଗଜପତ୍ର କରିପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ ଆରଟିଓଙ୍କ ପରିସୀମା ଭିତରେ ବାସ କରୁଥିବା ନେଇ କୌଣସି ବାଧ୍ୟବାଧକତା ନାହିଁ । ସେହିପରି ଗାଡ଼ିର ଫ୍ୟାନସି ନମ୍ବର ପାଇଁ ଆବେଦନ କରିଥିବା ଗାଡ଼ି ମାଲିକ ଯଦି ସମ୍ପୃକ୍ତ ଆରଟିଓଙ୍କ ପାଖରେ ନମ୍ବର ସଂରକ୍ଷଣ ନେଇ ସୁବିଧା ନ ପାଆନ୍ତି ତା ହେଲେ ସେ ଅନ୍ୟ ଆରଟିଓ ଅଧିକାରୀ ଫ୍ୟାନସି ନମ୍ବର ପାଇଁ ସଂରକ୍ଷଣ ସୁବିଧା ପାଇପାରିବେ । କମିସନଙ୍କ ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଆରଟିଓମାନେ କାର୍ଯ୍ୟକାରୀ କରିବାକୁ ସର୍କୁଲାର ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ।


