ମଉଜର ପର୍ବ ରଜ

(ଯୁଗାବ୍ଦ ନ୍ୟୁଜ) ଓଡିଶା ସମେତ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଋତୁର ଶେଷ ଭାଗରେ ତଥା ବର୍ଷା ଋତୁର ଆଗମନ ସମୟରେ ଭୂମିପୂଜାର ପରମ୍ପରା ରହିଛି । ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବାରୁ ଏଠାରେ କୃଷି ଜନିତ ବିଭିନ୍ନ ପର୍ବ ପାଳନ କରାଯାଇଥାଏ । ସେଥିମଧ୍ୟରୁ ରଜପର୍ବ ଅନ୍ୟତମ । ବରଷକେ ଥରେ ଆସୁଥିବାରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡିଆ ପରିବାର ବେଶ ଧୁମଧାମରେ ପାଳନ କରିଥାନ୍ତି ଏହି ପର୍ବ । ମୁଖ୍ୟତଃ ରଜ ୩ଦିନ ପାଳନ କରାଯାଏ । ବୃଷ ମାସର ମାସନ୍ତରେ ପଡେ ପ୍ରଥମ ରଜ । ଯାହାକୁ ପହିଲି ରଜ କୁହାଯାଏ । ପରେ ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ରଜ ପର୍ବର ଦ୍ୱିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି କୁହାଯାଏ । ତା’ ପରଦିନକୁ ଭୂମି ଦହନ ବା ପର୍ବର ତୃତୀୟ ଦିନ ଭାବେ ପାଳନ କରାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହ ରଜ ଶେଷ ହୁଏ । ଓଡ଼ିଆମାନେ ରଜକୁ କୃଷିଭିତ୍ତିକ ପର୍ବ ଭାବେ ପାଳନ କରିଥାନ୍ତି । ନିଦାଘ ଗ୍ରୀଷ୍ମରେ ମଉଳି ଯାଇଥିବା ମାଟି ମୌସୁମୀ ବର୍ଷାର ଆଗମନରେ ତାର ପୂର୍ବ ରୂପ ଫେରିପାଏ । ଏହି ସମୟରେ ବୀଜରୁ ଅଙ୍କୁର ସୃଷ୍ଟି ହୁଏ । ଚାଷୀ ମନରେ ଭଲ ଫସଲ ଉପୁଜାଇବାର ସ୍ୱପ୍ନ ଦେଖେ । ଓଡ଼ିଆ ଝିଅମାନଙ୍କ ପାଇଁ ରଜ ଏକ ସ୍ୱତନ୍ତ୍ର ପର୍ବ । ପରମ୍ପରା ଅନୁଯାୟୀ ରଜରେ କୁମାରୀ କନ୍ୟାଙ୍କୁ ୩ ଦିନ ସ୍ନାନ କରିବା, ଲୁଣ ଖାଇବା ଓ ଭୂମିରେ ଚାଲିବା ମନା । ଝିଅ ଓ ସ୍ତ୍ରୀ ଲୋକମାନଙ୍କୁ ଏହି ୩ ଦିନ ସମ୍ପୂର୍ଣ୍ଣ କର୍ମମୁକ୍ତ କରାଯାଏ ।
କୁହାଯାଏ ରଜରେ ମାଟିମା ରଜ୍ୱସ୍ୱଳା ହୋଇଥିବାରୁ ଚାଷ କାର୍ଯ୍ୟ ବନ୍ଦ କରିବା ସହ ମାଟିମାର କଷ୍ଟ ଲାଘବ କରିବା ପାଇଁ ହଳ ଇତ୍ୟାନ୍ଦି ବନ୍ଦ କରାଯାଇଥାଏ । ପୌରାଣିକ କାହାଣି ଅନୁସାରେ ରାବଣ ଓ ମୟଦାନବଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିବାରୁ ଅନେକ ସମୟରେ ରାବଣ ମୟଦାନବଙ୍କ ରାଜମହଲକୁ ଯିବାଆସିବା କରୁଥିଲେ । ମୟଦାନବଙ୍କ ମନ୍ଦୋଦରୀ ନାମ୍ନୀ ଏକ ସୁନ୍ଦରୀ କନ୍ୟା ଥିଲା । ରାବଣ ଓ ମନ୍ଦୋଦରୀ ପରସ୍ପରକୁ ଆକର୍ଷିତ ହୋଇଥିଲେ , ପରେ ମନ୍ଦୋଦରୀ ଏକ ଶିଶୁ କନ୍ୟାକୁ ଜନ୍ମଦେଇଥିଲେ ଯାହାକୁ ମୟଦାନବ ବଦନାମର କାରଣ ଭାବି ମିଥିଳାନଗରୀରେ ଗୁପ୍ତ ଭାବେ ପୋତିଦେଇଥିଲେ । ପରବର୍ତ୍ତୀ ସମୟରେ ମିଥିଳାରେ କୌଣସି ବର୍ଷା ନହେବାରୁ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ମିଥିଳା ରାଜା ଜନକ ନିଜ ରାଜ୍ୟରେ ହଳ କଲେ । ହଳ କରିବା ସମୟରେ ଜନକ ରାଜାଙ୍କୁ ଉକ୍ତ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା । ପୌରାଣିକ ମତାନୁସାରେ ସେଦିନ ପହିଲି ରଜ ହୋଇଥିବା ଜଣାପଡେ । ନାରୀମାନେ ପାଦରେ ଅଳତା, ହାତରେ ମେହେନ୍ଦୀ, ଦେହରେ ହଳଦୀ, ଆଖିରେ କଳା, ନୂଆ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଦୋଳି ଖେଳୁଥାନ୍ତି। ଦୋଳିରେ ଝୁଲି ଗାଉଥାନ୍ତି, ”ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନାମୁକୁଟ ଲୋ ଦିଶୁଥାଏ ଝଟଝଟ।”
ଗାଁମାନଙ୍କରେ ବଡ଼ ବଡ଼ ଆମ୍ବ ଗଛ, ବର ଗଛ, ଚାକୁଣ୍ଡା ଗଛମାନଙ୍କରେ ବନ୍ଧା ହୋଇଥାଏ ବାଉଁଶ ଦୋଳି। ପୁରୁଷମାନେ ରଜରେ ତାସ, ଲୁଡ଼ୁ, କବାଡ଼ି ଆଦି ଖେଳନ୍ତି।ଏହି ସମୟରେ ପୃଥିବୀମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ। କଦଳୀ ପାଟୁକା ପାଦରେ ବାନ୍ଧି ଚାଲିଥାନ୍ତି।
ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ। ସେ ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ। ଆଧୁନିକତାର ସ୍ପର୍ଶରେ ପୁରୁଣା ସମୟର ରଜ ଆଜି ନାହିଁ ସତ; କିନ୍ତୁ ଯୁବପିଢିଙ୍କ ପାଇଁ ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।
ରଜ ଚାରିଦିନ ଯାକ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ପିଠାପଣା ସାଙ୍ଗକୁ, ପାନ ରଜର ମଜାକୁ ଦ୍ୱିଗୁଣିତ କରିଦିଏ। ପୋଡ଼ପିଠା, ଚକୁଳି ପିଠା, ମଣ୍ଡା, ଆରିସା, କାକରାର ମହ ମହ ବାସ୍ନାରେ ମହକି ଉଠେ ଚତୁର୍ଦିଗ। କ୍ଷୀରିର ବାସ୍ନାରେ ମହକି ଉଠେ ରଜ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ