ମକର ସଂକ୍ରାନ୍ତି ରେ ମକର ବୁଡ଼ ଓ ମକର ଚାଉଳ ଭୋଗ ଲାଗି
ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟ ନାରାୟଣ ଙ୍କ ପୂଜା ର ପର୍ବ। ପ୍ରତ୍ୟେକ ଓଡ଼ିଆ ଙ୍କ ଘରେ ଏହି ପର୍ବ ଭକ୍ତି ଓ ନିଷ୍ଠାର ସହିତ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶି କୁ ପ୍ରବେଶ କରୁଥିବାରୁ ସଂକ୍ରାନ୍ତି ର ନାମ ମକର ସଂକ୍ରାନ୍ତି ହୋଇଛି। ଭୌଗଳିକ ସ୍ଥିତି ଅନୁସାରେ ଭାରତ ଭୁଖଣ୍ଡ ପୃଥିବୀ ର ଉତ୍ତର ଗୋଲାର୍ଦ୍ଧ ରେ ରହିଛି। ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟ ନାରାୟଣ ଦକ୍ଷିଣ ଗୋଲାର୍ଦ୍ଧ ରେ ରହିଥିବା ବେଳେ ଏହି ଦିନ ଠାରୁ ଉତ୍ତର ଗୋଲାର୍ଦ୍ଧ କୁ ଚଳନ କରିଥାନ୍ତି। ଏହି ଦିନ ସୂର୍ଯ୍ୟ ନାରାୟଣ ପୃଥିବୀ ର ନିକଟବର୍ତ୍ତୀ ହେଉଥିବାରୁ ମଙ୍ଗଳ କାମନା ପାଇଁ ତାଙ୍କୁ ପୂଜା କରା ଯାଇଥାଏ। ସୂର୍ଯ୍ୟ ନାରାୟଣ ଙ୍କ ଉତ୍ତରାୟଣ ଗତି ପରେ ସମସ୍ତ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ ବୋଲି ବିଭିନ୍ନ ପୁରାଣ ରେ ଉଲ୍ଲେଖ ରହିଛି। ଏହି ଦିନ ସୂର୍ଯ୍ୟ ନାରାୟଣ ତାଙ୍କ ପୁତ୍ର ଶନି ଦେବ ଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିଲେ ବୋଲି ପୁରାଣ ରେ ବର୍ଣ୍ଣିତ ଅଛି। ଏହି ଦିନ ଗଙ୍ଗା ମାତା ଭଗିରଥ ଙ୍କ ପ୍ରାର୍ଥନା ରେ ସନ୍ତୁଷ୍ଟ ହୋଇ ତାଙ୍କ ପିତୃ ପୁରୁଷ ମାନଙ୍କୁ ମୋକ୍ଷ ପ୍ରଦାନ କରିବାକୁ ତାଙ୍କ ପଛେ ପଛେ କପିଳ ମୁନି ଙ୍କ ଆଶ୍ରମ କୁ ଯାଇଥିଲେ ବୋଲି ପ୍ରାଚୀ ମାହାତ୍ମ୍ୟ ପୋଥି ରେ ଲେଖାଯାଇଛି। ସେଥିପାଇଁ ମକର ସଂକ୍ରାନ୍ତି ଦିନ ବିଭିନ୍ନ ନଦୀ ଓ ସମୁଦ୍ର ରେ ସ୍ନାନ କଲେ ଯାବତୀୟ ରୋଗ ରୁ ମୁକ୍ତି ମିଳିବା ସହିତ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନ
ଗଙ୍ଗା ସାଗର ବୁଡ଼ ଓ ମେଳା ଅନୁଷ୍ଠିତ ହୋଇଥାଏ। ଏହି ଦିନକୁ ଓଡ଼ିଆ ଚାଷୀ ମାନେ ନୂଆ ଧାନ ଅମଳ କରି ସାରିଥାନ୍ତି। ଏଣୁ ନୂଆ ଚାଉଳ, ଗୁଡ଼, ଛେନା, ନଡ଼ିଆ,ଘିଅ,
କଦଳୀ, କ୍ଷୀର ରେ ପ୍ରତ୍ୟେକ ଓଡ଼ିଆ ଙ୍କ ଘରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ ମକର ଚାଉଳ। ଏହି ମକର ଚାଉଳ କୁ ଗ୍ରାମ ଦେବତୀ ଙ୍କ ପାଖରେ ଭୋଗ ଲାଗି କରି ସମସ୍ତେ ଖାଇଥାନ୍ତି। ଏହି ଅବସର ରେ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ଶ୍ରୀ ଜିୟୁ ମାନଙ୍କୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ମକର ଚାଉଳ ଲାଗି ହେବା ପରମ୍ପରା ରହିଛି। ବିଭିନ୍ନ ଦେବ ଦେବୀ ଙ୍କ ପାଖରେ ଭୋଗ ଲାଗି ମକର ଚାଉଳ କୁ ବିଭିନ୍ନ ବ୍ୟକ୍ତି ଓ ଯୁବତୀ/କିଶୋରୀ ମାନେ ପରସ୍ପର କୁ ଖୁଆଇ ମକର ବସିଥାନ୍ତି। ମକର ବସିଥିବା ବ୍ୟକ୍ତି ଓ ଯୁବତୀ/ କିଶୋରୀ ମାନେ ପରସ୍ପର କୁ ଆଉ ତାଙ୍କ ନାମ ରେ ସମ୍ବୋଧନ ନ କରି
ପରସ୍ପର କୁ ମକର ବୋଲି ଡକା ଡକି ହୋଇଥାନ୍ତି। ମକର ସଂକ୍ରାନ୍ତି ଏକ ଭାଇଚାରା ର ପର୍ବ ଭାବେ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ରହି ଆସିଛି କାହିଁ କେତେ କାଳ ରୁ।
ଜୟ ସୂର୍ଯ୍ୟ ନାରାୟଣ।।
ସନ୍ତୋଷ କୁମାର ଦାଶ।
ତୁଳସୀପୁର। ପୁରୀ।।
୯୪୩୯୩୬୧୮୮୮।