ମଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ:ଜଣେ ମୃତ,ଜଣେ ଗୁରୁତର
ବେଲଗୁଣ୍ଠା(ଶିବରାମ ଚୌଧୁରୀ):ସୋମବାର ସଂଧ୍ୟା ସମୟରେ ମୋଟରସାଇକଲ୍ ଆଗକୁ ଏକ କୃଷ୍ଣସାର ମୃଗ ଆଗକୁ ଚାଲିଆସିବାରୁ ମୃଗଟିକୁ ବଞ୍ଚାଇବା ପାଇଁ ମୋଟରସାଇକଲ୍ ଟି ଏକ ଗାତ ଭିତରକୁ ପଶିଯାଇଥିଲା ।ଫଳରେ ଚାଳକ ଓ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଥିଲେ ।ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ମୃତ ହୋଇଥିବା ବେଳେ ଗୁରୁତର ଆହତ ଯୁବକକୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି ।ଖବର ନେବାରୁ ଜଣାପଡିଛି ବେଲଗୁଣ୍ଠା ଗୋପୀନାଥ ସାହିର ରୁଲୁ ପାତ୍ରଙ୍କ ପୁଅ ଦିପୁ ପାତ୍ର(୨୦) ଓ ସନ୍ୟାସୀ ଜେନା ଙ୍କ ପୁଅ ମନୋଜ ଜେନା(୨୦) ଉଭୟ ଏକ ଟିଭିଏସ୍ ମୋଟରସାଇକଲ୍ ରେ ସଂଧ୍ୟା ସମୟରେ ବାଲିପଦର ପଟୁ ନିଜ ଗ୍ରାମ ବେଲଗୁଣ୍ଠା ଫେରୁଥିଲେ ।ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ପଥରାପଲୀ ବୁଲାଣି ରାସ୍ତା ଦେଇ ଆସୁଥିବା ବେଳେ ହଠାତ୍ ଏକ କୃଷ୍ଣ ସାର ମୃଗ ମଟର ସାଇକେଲ ଆଗ ଦେଇ ରାସ୍ତା ପାର ହୋଇଯାଇଥିଲା ।ମଟରସାଇକଲ୍ ଚାଳକ ବ୍ରେକ୍ ମାରିବା ସହ ଭାରସାମ୍ୟ ହରାଇ ଗାଡିଟି ଏକ ଗାତ ଭିତରକୁ ପଶିଯାଇଥିଲା ।ଉଭୟେ ଗାଡିରୁ ଛିଟିକି ଯାଇ ପଡିଯାଇଥିଲେ ।ସେହି ରାସ୍ତାରେ ଯାଉଥିବା କିଛି ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଚିକିତ୍ସାଧିନ ଅବସ୍ଥାରେ ବେଲଗୁଣ୍ଠା ମେଡିକାଲରେ ମନୋଜ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଦିପୁକୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥାନରେ ପହଞ୍ଚି ଗାଡି ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।ଆଜି ସକାଳେ ମନୋଜ ର ଶବ ବ୍ୟବଚ୍ଛେଦ ପରେ ତାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ପ୍ରକାଶ ଥାଉ କି ମୃତ ମନୋଜ ବାହାରେ ରହି ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିବା ବେଳେ କିଛି ଦିନ ତଳେ ଗାଁ କୁ ଆସିଥିଲେ ।ମନୋଜଙ୍କ ମୃତ୍ୟୁ ରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ବେଲଗୁଣ୍ଠା ଗୋପିନାଥ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା