ମଣିପୁର ସଂକଟ
ଗଲାବର୍ଷ ମେ’ ମାସଠାରୁ ଦୀର୍ଘ ୧୯ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସା ଥମିବାର ନାଁ ଧରୁନଥିବାବେଳେ ଯେକୌଣସି ସମୟରେ ପରିସ୍ଥିତିରେ ଉନ୍ନତି ଆସିବା ଆଶା କ୍ଷୀଣ ମଧ୍ୟ ରହିଛି । ପାହାଡିଆ ଅଂଚଳରେ ଲୁଚି ଛପି ଗୁଳିକାଣ୍ଡ ଘଟାଉଥିବା ଦୁର୍ବୁତମାନେ ନିକଟରେ ଧାନ ବିଲରେ କାମ କରୁଥିବା କୃଷକଙ୍କୁ ନିଶାଣ କରିବା ଫଳରେ ପୁଣି ହିଂସା ପରିସ୍ଥିତି ଉଗ୍ର ରୂପ ନେଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଛି । ଜଣକୁ ଗୁଳି କରି ହତ୍ୟା କରିଥିବାବେଳେ ଅନ୍ୟଜଣଙ୍କୁ ଜୀଅନ୍ତା ଜାଳି ଦେଇଥିଲେ । ଏଥିରୁ ଆତଙ୍କବାଦୀମାନେ କେତେ ରକ୍ତମୁଖା ହୋଇପଡିଛନ୍ତି ସ୍ପଷ୍ଟ ବୁଝାପଡେ । ସେହିପରି ନିକଟରେ ସୁରକ୍ଷା ବାହିନୀର ଯବାନମାନେ ଉଗ୍ରପନ୍ଥୀ ନାଁରେ ୧୦ଜଣଙ୍କୁ ହତ୍ୟା କରିଛନ୍ତି, ଯେଉଁମାନେ ଗ୍ରାମ୍ୟ ସ୍ୱେଚ୍ଛାସେବୀ ଥିଲେ ବୋଲି କୁକି ସଂପ୍ରଦାୟ ପକ୍ଷରୁ କୁହାଯାଇଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ ବୋଲି କୁହାଯିବ । ଉଲ୍ଳେଖ କରାଯାଇପାରେ ଯେ, ଗତ ୨୦୨୩ ମେ’ ମାସରୁ ସରକ୍ଷଣକୁ ନେଇ ମଣିପୁରର ଦୁଇ ସଂପ୍ରଦାୟ କୁକି ଏବଂ ମୈତ୍ରେଇ ମଧ୍ୟରେ ଲାଗି ରହିଥିବା ଜାତିଆଣ ହିଂସାକାଣ୍ଡରେ ୨୫୦ଲୋକଙ୍କର ଜୀବନ ଯାଇଥିବା ବେଳେ ୬୦ହଜାରରୁ ଉର୍ଦ୍ଧ୍ୱ ଲୋକ ବାସହରା ହୋଇଛନ୍ତି । କିନ୍ତୁ କ୍ଷୋଭର ପ୍ରସଙ୍ଗ ଏହା ଯେ, ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି କ୍ଷମତାସୀନ ଥିବାବେଳେ ଡବଲ ଇଂଜିନ ସରକାର ଅତି ଦୟନୀୟ ଭାବେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାରେ ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ସରକାର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ତଥା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଲାଗି ବିରୋଧି ଦଳ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବାବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଧ୍ରୃତରାଷ୍ଟ୍ରଙ୍କ ପରି ସମର୍ଥନ କରୁଥିବା ପ୍ରତୀୟମାନ ହୁଏ । ଇତିମଧ୍ୟରେ ଜାତିଗତ ହିଂସାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ସମ୍ପର୍କରେ ଅଦାଲତଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ କୁକି ସଂଗଠନ ଦାବି କରିଛି । ସେହିପରି କେତେକ ଭିଡିଓ କ୍ଲିପ୍ ଲିକ୍ ଆଧାରରେ ସଂଗଠନ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ଅନ୍ୟପକ୍ଷରେ ଶାନ୍ତି ପ୍ରତିଷ୍ଠା ତଥା ଜାତିଆଣ ଭାବର ଅବସାନ ପାଇଁ ଦୁଇ ସଂପ୍ରଦାୟ ମଧ୍ୟରେ ଆଲୋଚନା ଲାଗି କେନ୍ଦ୍ରର ପଦକ୍ଷେପ ମଧ୍ୟ ଫଳପ୍ରଦ ହୋଇପାରିନାହିଁ । ରାଜ୍ୟର ବିଭିନ୍ନ ଅଂଚଳରେ କିଛିଦିନ ବ୍ୟବଧାନରେ ଯେଉଁ ଭଳି ଭାବେ ହତ୍ୟା, ବଳାତ୍କାର, ଗୃହଦାହ ଭଳି ହିଂସାକାଣ୍ଡ ଯେଭଳି ଘଟିବାରେ ଲାଗିଛି । ଏଥିପ୍ରତି ଯେଉଁ ରାଜନୈତିକ ସମ୍ବେଦନଶୀଳତା ଓ ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖାଯାଉନାହିଁ । କହିବା ବାହୁଲ୍ୟ ଯେ, ହିଂସାକାଣ୍ଡ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପରିସ୍ଥିତିକୁ କେନ୍ଦ୍ରୀୟ ବାହିନୀ ଯବାନଙ୍କ ମୁତୟନଠାରୁ ଆରମ୍ଭ କରି ହିଂସାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଫଳବାଦୀ ହୋଇନାହିଁ । କେନ୍ଦ୍ରୀୟ ବାହିନୀ ଓ ରାଜ୍ୟ ପୋଲିସ କେତେକ ହିଂସାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଥିବାବେଳେ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ସତ୍ୟ ହୋଇଥିଲେ ନିଶ୍ଚିତ ଭାବେ ସାଂଘାତିକ ବୋଲି କୁହାଯାଇପାରିବ । ରାଜ୍ୟରେ ମଧ୍ୟ ବାହାର ରାଜ୍ୟର ପୋଲିସକୁ ମୁତୟନ କରାଯାଇଥିବା ସତ୍ୱେ ସେଥିରୁ କୌଣସି ସୁଫଳ ମିଳିନଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଲାଣି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହୋଇଛି, ରାଜ୍ୟ ବିଧାନସଭାର ବୈଠକ ଗତ ଦେଢବର୍ଷ ହେଲା ଠିକ୍ ଭାବେ ହୋଇପାରିନାହିଁ । ରାଜ୍ୟରେ ମୈତ୍ରେଇ ସଂପ୍ରଦାୟ ଅତ୍ୟନ୍ତ ପ୍ରଭାବଶାଳୀ ଥିବାବେଳେ ଦୁଇତୃତୀୟାଂଶ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସହ ୬ଜଣ ମନ୍ତ୍ରୀ ଏହି ସଂପ୍ରଦାୟର ଥିବା ଜଣାଯାଏ । ସୁରକ୍ଷା ଦୃଷ୍ଟିରୁ କୁକି ସଂପ୍ରଦାୟର ବିଧାୟକମାନେ ବିଧାନସଭା ଅଧିବେଶନକୁ ଏକ ପ୍ରକାର ବର୍ଜନ କରିଥିବା କୁହାଯାଏ, ଯାହାକି ରାଜ୍ୟରେ ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି କରିବାରେ ଆଶଙ୍କାକୁ ଅଣଦେଖା କରାଯାଇନପାରେ । ଇତିମଧ୍ୟରେ କୁକି ସଂଗଠନ ଆଇନଗତ ଭାବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଂଚଳ ଗଠନ ପାଇଁ ଦାବି କରିଛି, ଯାହାକି ରାଜ୍ୟର ବିଭାଜନ ଆବଶ୍ୟକତା କରେ । କୁକି ସଂପ୍ରଦାୟ ମଧ୍ୟ ସଂକଟର ସମାଧାନ ଲାଗି କେନ୍ଦ୍ରର ହସ୍ତକ୍ଷେପ ଦାବି କରିଛି, ଯାହାକି କେନ୍ଦ୍ର ସରକାରଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିବା କୁହାଯାଇପାରେ । ମାତ୍ର କେନ୍ଦ୍ର ସରକାର ଦୁଇ ସଂପ୍ରଦାୟର ନିର୍ବାଚିତ ପ୍ରତିନିଧିଙ୍କ ବୈଠକ ଡକାଇ (ଯାହାକି ବିଫଳ ହୋଇଛି) ନୀରବ ରହିଥିବା ଅଭିଯୋଗ ହୁଏ । ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଣିପୁର ମିଆଁମ୍ୟାର ସୀମାରେ ତାର ବାଡ ନିର୍ମାଣ ଏବଂ ସୀମାନ୍ତରେ ଅବାଧ ଚଳପ୍ରଚଳକୁ ନିଷିଦ୍ଧ କରିଛନ୍ତି । ଯାହାକୁ ବହୁ ଆଦିବାସୀ ସଂପ୍ରଦାୟ ଦୃଢ ବିରୋଧ କରିଛନ୍ତି । ସୀମାନ୍ତର ଉଭୟ ପାଶ୍ୱର୍ରେ ବାସ କରୁଥିବା ବନବାସୀଙ୍କ ମଧ୍ୟରେ ଆବାହାନ କାଳରୁ ରହି ଆସିଥିବା ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସୁସମ୍ପର୍କ ବ୍ୟାହତ ହେବା ଦର୍ଶାଇ ସେମାନେ ବିରୋଧ କରିଛନ୍ତି । ମାତ୍ର କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବା ସ୍ଥିତିରେ ନାହାଁନ୍ତି । ଉଭୟ କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବା ସ୍ଥିତିରେ ନାହାଁନ୍ତି । ଉଭୟ କେନ୍ଦ୍ର ଓ ଆଦିବାସୀ ସଂପ୍ରଦାୟର ଜିଦ୍ ଆଉ ଏକ ସଂକଟ ସୃଷ୍ଟି କରିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । କେନ୍ଦ୍ର ସରକାର ମଣିପୁରର ହିଂସାକାଣ୍ଡର ଅବସାନ ପାଇଁ ଫଳପ୍ରଦ ନିଷ୍ପତି ନେବା ଜରୁରୀ । ଅନ୍ୟଥା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ସୃଷ୍ଟି କରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ