ମଣିମା ଶୁଣିମା ହେଉ
ପୃଥିବୀର ସୁପ୍ରସିଦ୍ଧ ଶ୍ରୀଜଗନ୍ନାଥଧାମ ପୁରୀର ପୁରପଲ୍ଲୀ ସାଂଘାତିକ ସାମୁଦ୍ରିକ ତୋଫାନ ‘ଫଣୀ’ର ତୁମୂଳ ତୋଡ଼ରେ ଆମୂଳଚୂଳ ନିଶ୍ଚିହ୍ନ ହୋଇଯାଇଛି । ବେଳାଭୂମିରୁ ଆରମ୍ଭ କରି ବସତିବ୍ୟାପୀ ବିସ୍ତୃତ ଭୌଗୋଳିକ ସ୍ଥିତି ସଂପୂର୍ଣ୍ଣ ସଂକଟାପନ୍ନ । ପୁରୀ ଜିଲ୍ଲାର ୧୧ଟି ବ୍ଲକ ଅବସ୍ଥା ଅବର୍ଣ୍ଣନୀୟ – ଅତି ଉଦ୍ବେଗଜନକ । ସବୁଠୁ ବେଶୀ ପୁରୀ ସହର, ସଦର, ବ୍ରହ୍ମଗିରି, ସତ୍ୟବାଦୀ, କୋଣାର୍କ, ନିମାପଡ଼ା ପ୍ରମୁଖ ଅଞ୍ଚଳକୁ କାଁ ଭାଁ ବିଜୁଳି ଯାଇଛି । ପ୍ରାୟ ୯୦ ଭାଗ ଅଞ୍ଚଳ ଏବେ ବି ବିଜୁଳି, ପାଣି ପାଇଁ ଡହଳବିକଳ । ଯେଉଁ କେତେକ ସ୍ୱଳ୍ପସୀମିତ ଅଞ୍ଚଳକୁ ବିଜୁଳି ଯାଇଛି – ସୁଇଚ ଅନ୍ କଲେ ଘରେ ଥିବା ଫ୍ୟାନ, ଟିଭି, ଏସି, ୱାସିଙ୍ଗ ମେସିନ ପୋଡ଼ିଯାଉଛି । ଲକ୍ଷଲକ୍ଷ ଟଙ୍କାର ଘରକରଣା ସମେତ ବିଭିନ୍ନ ପ୍ରୟୋଜନ ସାମଗ୍ରୀ ବରବାଦ । ବିଜୁଳି ବିଭାଗ ଯେନତେନ ପ୍ରକାରେଣ ବିଜୁଳି ଦେବାରୁ ଏଭଳି ମାରାତ୍ମକ ମନୁଷ୍ୟକୃତ ଦୁର୍ଘଟଣା ଘଟୁଛି । ‘ଫଣୀ’ ପରେପରେ ବିଜୁଳି ଯୋଗାଣଜନିତ ଏପ୍ରକାର କ୍ଷତିର ଅପ୍ରତ୍ୟାଶିତ ତଥା ଅଭାବିତ କାଣ୍ଡ ବର୍ତ୍ତମାନ ପୁରୀର ଅଭାବୀ ଅଧିବାସିନ୍ଦାମାନଙ୍କୁ ଆହୁରି ଉକ୍ରଟ ପରିସ୍ଥିତି ମଧ୍ୟକୁ ଟାଣିଆଣିଛି । ଯେଉଁଠି ବିଜୁଳି ନାହିଁ – ସେଠି ସଂଧ୍ୟା ପରଠାରୁ ମଧ୍ୟ ଗଳିରାସ୍ତାର ଅର୍ଗଳିଗୁଡ଼ାକରେ ଚାଲିଛି ରୀତିମତ ରାହାଜାନି । କରାଳ ରାତ୍ରୀର ଅନ୍ଧକାରରେ ଲୁଟେରାଦଳ ମାତି ପଥଚାରୀମାନଙ୍କୁ ସର୍ବସ୍ୱାନ୍ତ କରିଦେଉଛନ୍ତି ।
ହଜାରହଜାର ତେଲୁଗୁ ମତ୍ସ୍ୟଜୀବୀ ପରିବାର ହତାଶ – ଡଙ୍ଗା ଭାଙ୍ଗିଛି – ସାମାନ୍ୟ ପବନ ବୋହିଲେ ସମୁଦ୍ରକୁ ଯାଉନାହାଁନ୍ତି । ହୋଟେଲଶିଳ୍ପ ଶତପ୍ରତିଶତ ବିପର୍ଯ୍ୟସ୍ତ । ଭୟତ୍ରସ୍ତ ପର୍ଯ୍ୟଟକ ଏବେ ପୁରୀ ପ୍ରତି ପୂର୍ଣ୍ଣବିମୁଖ । ସାକ୍ଷୀଗୋପାଳ ନଡ଼ିଆ, ଚନ୍ଦନପୁର ପାନର ଦିନେ ପ୍ରଚୁର ପ୍ରସିଦ୍ଧି ଥିଲା – ଦେଶବିଦେଶକୁ ରପ୍ତାନି ହେଉଥିଲା । ଆଜି ସବୁ ମୂଳପୋଛ । ଏବେ ପୁରୀବାସୀ ବାହାରୁ ନଡ଼ିଆ ଆମଦାନୀ କରିବେ । ପାନଖଣ୍ଡେ ପାଇଁ ହାତ ପତାଇବେ ଅନ୍ୟତ୍ର । ଏଣେ କୂଅ ପୋଖରୀ ନଈରେ ଗଛପତ୍ର ପଡ଼ି ପାଣି ପୂରା ପଚିସାରିଲାଣି । ଅନେକ ସ୍ଥାନରେ ଘେରିରହିଥିବା ଦୁର୍ଗନ୍ଧମୟ କଳାପାଣିଦ୍ୱାରା ପୁରୀର ମାନଚିତ୍ର ପାଲଟିଯାଇଛି ଗୋଟାଏ ନିଆରା ନର୍କର ନକ୍ସା! ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ପାନୀୟଜଳ । ଦୂଷିତ ଜଳ ଯୋଗୁ ଚର୍ମରୋଗ, ପେଟରୋଗରେ ଲୋକେ ଆକ୍ରାନ୍ତ ।
ସରକାର ବର୍ତ୍ତମାନ କିଂକର୍ତ୍ତବ୍ୟବିମୂଢ଼ । ଏପର୍ଯ୍ୟନ୍ତ ରିଲିଫ ସହାୟତା ଆଶାଜନକ ଭାବରେ ଯୋଗାଇ ଦେଇ ପାରୁନାହାନ୍ତି । ଯେଉଁ ଅନୁଷ୍ଠାନମାନେ ରିଲିଫ ସାମଗ୍ରୀ ନେଇ ପୁରୀ ଯାଉଛନ୍ତି – ଦଳବଦ୍ଧ ଦୁର୍ବୃତ୍ତମାନଙ୍କ ଦ୍ୱାରା ବାଟରୁ ବାଟମାରଣା । ପୁଲିସ ସୁରକ୍ଷା ଦେଇପାରୁନି । ପ୍ରାୟ ଟିଣଛପର, ଆଜବେଷ୍ଟସ୍, ଚାଳଛପର ଘର ଆକାଶକୁ ଆଁ କରିରହିଛି । ବର୍ଷା ହେଲେ ଅବସ୍ଥା ସଂଗୀନ । ଏପର୍ଯ୍ୟନ୍ତ ସରକାରୀ କଳର କାର୍ପଟଦାରମାନଙ୍କ ହିସାବତାଲିକାରେ କ୍ଷୟକ୍ଷତିର ସଠିକ ଆକଳନ ହୋଇପାରୁନି । ବିପନ୍ନଲୋକେ ଚାହିଁ ରହିଛନ୍ତି – ସରକାରୀ କଳ କେବେ ଆସି କ୍ଷୟକ୍ଷତି ଆକଳନ କରିବେ । ଆଖିରେ ଲୁଣିପାଣି ମାରି ଖାସ୍ ଏହି ଅପେକ୍ଷାରେ ଉଜୁଡ଼ା ସଂସାରକୁ ସଜାଡ଼ୁ ନାହାଁନ୍ତି । ବିପନ୍ନ ବର୍ଗର ଅଣ୍ଟିରେ କାଣୀକଉଡ଼ିଟାଏ ନାହିଁ । ଏକପ୍ରକାର କପର୍ଦ୍ଦକଶୂନ୍ୟ କାଙ୍ଗାଳ କହିଲେ ଚଳେ । ଆଗରୁ ଥିଲାବାଲାମାନେ ବି.ପି.ଏଲ. ରେସନକାର୍ଡ, ଏ.ପି.ଏଲ ହାତେଇ ନେଇଛନ୍ତି । ଯେଉଁମାନେ ହାତେଇଛନ୍ତି ସେମାନଙ୍କ ଘରଆଗରେ ବିପିଏଲ ପରିବାର ଲେଖାଗଲେ ଭଦ୍ରଚୋର ଧରାପଡ଼ିଯିବେ । ଏଭଳି ଦୁଃଖଦ ଦାରୁଣ ସମୟରେ ସୁଦ୍ଧା ଥୋକେ ଅମଣିଷଙ୍କଆଡୁ ପୁରୀରେ ଅନୈତିକ ଲାଭପାଇଁ ଛକାପଂଝା ଚାଲିଛି ।
ପୁରୀରେ ଆଗକୁ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି । ଆସନ୍ନ ଦୁର୍ଭିକ୍ଷରୁ ରକ୍ଷା ପାଇବାକୁ ହେଲେ ବିପନ୍ନମାନଙ୍କୁ ସହାୟତା ଦେବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ପୁରୀକୁ ଡକାଇ ଘରେଘରେ ରିଲିଫ ପହଞ୍ଚାନ୍ତୁ । ଏପରିକି ବିଶେଷ ପ୍ରୟୋଜନରେ ମିଲିଟାରୀ ବାହିନୀକୁ ଡକାଇ ପୁରୀଜିଲ୍ଲାକୁ ରକ୍ଷା କରନ୍ତୁ ।
୧୯୯୩ ମହାରାଷ୍ଟ୍ରର ‘ଲାଟୁର’ ଭୂମିକଂପବେଳେ ଗୁଜୁରାଟ କେୟାନଗର, ସୁରଟରେ ପ୍ଲେଗ ହୋଇଥିଲା । ଅବଶ୍ୟ ସେଠାକାର ସରକାର ସମ୍ଭାଳିନେଲେ । ବ୍ରିଟିଶ ରିଲିଫକୋର୍ଡ଼ରେ ପୂଟଚଢ଼ାଇ ତଥାକଥିତ ସ୍ୱାଧୀନଭାରତରେ ଚଳାଯାଉଛି – ଯାହା ଫଳରେ ସାହାଯ୍ୟପ୍ରଦାନରେ ଧୁଆମୂଳା ଅଧୁଆମୂଳା ସବୁ ସମାନ । ପୁରୀର ସର୍ବନାଶବେଳେ ଓଡ଼ିଶା ରାଜନୀତିର ଏ ପୁଷମାସକୁ ଆମେ ହଜମ କରିବା କଷ୍ଟକର ।
ଏପର୍ଯ୍ୟନ୍ତ ବିଜୁଳି ଶ୍ରୀମନ୍ଦିର ବଡ଼ଦାଣ୍ଡ ସମେତ ଶ୍ରୀନଅରକୁ ଯାଇଛି – ବାକି କେତେକ ସ୍ଥାନକୁ ମଧ୍ୟ ଯାଇଛି – ଯେଉଁଠି ବିଦ୍ୟୁତ୍ ସଂଯୋଗମାତ୍ରେ ହିଁ ସବୁ ପୋଡ଼ିଯାଉଛି, ଜଳିଯାଉଛି ବୋଲି ତୁଣ୍ଡବାଇଦ ସାରା ଓଡ଼ିଶାରେ ବର୍ତ୍ତମାନ ବାଜିଲାଣି । ବଡ଼ ସାଂଘାତିକ ଶୋଚନୀୟ ପରିସ୍ଥିତି ସହ ପୁରୀବାସୀ ବର୍ତ୍ତମାନ ବଞ୍ଚିବାର ଲଢ଼େଇ କରିଚାଲିଛନ୍ତି । ସତ କହିବାକୁ ଗଲେ ଅଚିନ୍ତନୀୟ କ୍ଷୟକ୍ଷତିର ଅକାଳ ପ୍ରାକୃତିକ ଆତଙ୍କବାଦୀ ‘ଫଣୀ’ ଫେରିଯିବା ପରର ଏ ହଳାହଳମୟ ଫଳାଫଳ ପୁରୀବାସୀଙ୍କ ପିଠିରେ ବେଡ଼ି ଉପରେ କୋରଡ଼ାମାଡ଼ ପରି ମନେହେଉଛି । ଏ ଭୟଙ୍କର ପରିସ୍ଥିତିର ମୁକାବିଲା କରିବା ଦିଗରେ ସରକାରୀ ଶାସନକଳ ବା ଆମର କଚ୍ଛପୀୟ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ – ଯଦିଓ ହଜାରହଜାର କୋଟି ଟଙ୍କାର ଦାନ-ଅନୁଦାନରାଶିରେ ସରକାରଙ୍କ ଭଣ୍ଡାର ଏବେ ଭରପୂର । ଆଜି ସମୁଦ୍ରର ବିବର୍ଣ୍ଣ ବେଳାଭୂମିରେ ବିପର୍ଯ୍ୟୟଗ୍ରସ୍ତ ପୁରୀର ଜନଜୀବନ କେବଳ ନିରାଶାର ବାଲି ସାଉଁଟୁଛି ମାତ୍ର । ମନେପଡ଼ିଯାଉଛି ଗୋପବନ୍ଧୁଙ୍କର ପୁରୁଣାପଦରୁ କରୁଣକୋମଳ ଧାଡ଼ି ଦୁଇଟି – ‘ଜୀବନ କି ଖାଲି / ନିରାଶାର ବାଲି / ମରୁମରୀଚିକା ସେନେହପ୍ରୀତି / ତେବେ କି ଆଶାରେ / କହ ଏ ସଂସାରେ / ପରଲାଗି ନର ମରୁଛି ନିତି?’
ଏପରି ବିଡ଼ମ୍ବିତ ପରିସ୍ଥିତିରେ ଆଜାଦୀ ଠେଙ୍ଗାବାହିନୀର ମେଜର ଜେନେରାଲ ଭାବରେ ଗଜପତି ମହାରାଜଙ୍କୁ ମୁଁ ସବିନୟ ଅନୁରୋଧ କରୁଛି ଯେ – ହେ ମଣିମା – ଆଜିର ପରିବର୍ତ୍ତିତ ପଟ୍ଟଭୂମିରେ ଆପଣ ଓଡ଼ିଶାର ରାଜନୈତିକ ଶାସକ ନହୋଇ ପାରନ୍ତି – ମାତ୍ର ଓଡ଼ିଆ ମହାଜାତିର ଅବଚେତନରେ ଆପଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିନିଧି ଓ ଐତିହାସିକ ମହାନ ସୂର୍ଯ୍ୟବଂଶର କୁଳଚନ୍ଦ୍ରମା ଭାବରେ ଆମ ବିଶ୍ୱାସର ବେଦୀପୀଠରେ ଆପଣ ହିଁ ହେଉଛନ୍ତି ଏ ନିଖିଳ ଓଡ଼ିଆ ଜନସମୁଦାୟର ନିତ୍ୟନମସ୍ୟ ସାଂସ୍କୃତିକ ଶାସକ । ଏହିଦୃଷ୍ଟିରୁ ‘ଫଣୀ’ପୀଡିତ ପୁରୀର ଜଣେ ବି ସାଧାରଣ ଗୃହସ୍ଥର ଉଜୁଡ଼ା ସଂସାରରେ ଯେତେଦିନଯାଏ ସରକାର ପାଣିବିଜୁଳି ଯୋଗାଣର ସୁବନ୍ଦୋବସ୍ତ କରାଇ ନପାରିଛନ୍ତି, ଯେତେଦିନଯାଏ ଭଙ୍ଗାକୁଡ଼ିଆର ଦୀନଦୁର୍ଗତ ଦାସିଆ ବାଉରିମାନେ ନଡ଼ିଆ ଖଣ୍ଡେ ପାଇପାରୁନାହାନ୍ତି – ସେତେଦିନଯାଏ ଆପଣ ଏ ପାତରଅନ୍ତର ନୀତିରେ ବଜାୟ ରହିଥିବା ସରକାରୀ ପାଣିବିଜୁଳିକୁ ଶ୍ରୀନଅରରେ ସ୍ଥାନ ଦେବାକୁ ନିଜ ତରଫରୁ ମନା କରିଦିଅନ୍ତୁ ।
ଓଡ଼ିଶାର ସର୍ବମାନ୍ୟ ଗଜପତିଙ୍କୁ ଏହା ଆଜାଦୀ ଠେଙ୍ଗାବାହିନୀ ପକ୍ଷରୁ ମୋର ଅନ୍ତରାତ୍ମାର ନିବେଦନ ।
ମାୟାଧର ନାୟକ
ଯାଜପୁରରୋଡ୍, ଯାଜପୁର
ଫୋନ – ୯୮୬୧୦୩୪୧୬୩


