ମଣିଷ ଭଳି ଦିଶୁଥିବା ବୁଢ଼ିଆଣୀକୁ ଦେଖି ଲୋକେ ଭୟଭୀତ
ଯଦି ଆପଣ ବୁଢ଼ିଆଣୀ ଦେଖିଲେ ଭୟ କରନ୍ତି ତେବେ ଚୀନରେ ଦେଖାଯାଉଥିବା ଏହି ବୁଢ଼ିଆଣୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମଣିଷ ଭଳି ଦିଶୁଥିବା ଏହି ବୁଢ଼ିଆଣୀକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ବୁଢ଼ିଆଣୀ ଚୀନର ହୁନାନ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ଲାଗିଥିବା ଗଛରେ ଦେଖିବାକୁ ମିଳିଛି । ଏହି ବୁଢ଼ିଆଣୀ ବିଷାକ୍ତ ବୋଲି କୁହାଯାଉଛି । ବିଚିତ୍ର ବୁଢ଼ିଆଣୀକୁ ଦେଖି ସୋସିଆଲ ମିଡିଆର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଚୀନର ଖବରକାଗଜ “ପିପୁଲ୍ସ ଡେଲି’ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ମଣିଷର ଚେହେରା ଭଳି ବୁଢ଼ିଆଣୀକୁ ଅତି ପାଖରୁ ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଜୁଲାଇ ୧୬ରେ ସେୟାର କରାଯାଇଥିଲା । ଟୁଇଟର ବ୍ୟବହାରକାରୀ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ସେହିପରି କିଛି ବ୍ୟବହାରକାରୀ ଏହାକୁ “ନ୍ୟୁ-ସ୍ପାଇଡର-ମ୍ୟାନ୍’ ବୋଲି କହୁଛନ୍ତି । ତେବେ ଏହା ପୂର୍ବରୁ ବି ମନୁଷ୍ୟ ଭଳି ଦିଶୁଥିବା ଏକ ବୁଢ଼ିଆଣୀ ଦେଖିବାକୁ ମିଳିଥିଲା । ୨୦୧୮ ଡିସେମ୍ୱରରେ ଆସାମରେ ଏଭଳି ବୁଢ଼ିଆଣୀ ଲୋକମାନଙ୍କ ଦୃଷ୍ଟିଗୋଚର ହୋଇଥିଲା । ଆସାମ ଲୋକମାନେ ଏହି ବୁଢ଼ିଆଣୀକୁ ସ୍ପାଇଡର ମ୍ୟାନ୍ ବୋଲି ନାମ ଦେଇଥିଲେ ।


