ମଣ୍ଡିରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ନବନିର୍ମାଣ କୃଷକ ସଂଗଠନର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଣ୍ଡିରେ ଧାନ ଜଗିଥିଲା ବେଳେ ମୃତ୍ୟୁବରଣ କରିଥିବା ଚାଷୀ ପରିବାରଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଏହାକୁ ସରକାରଙ୍କ ମଣ୍ଡି ପରିଚାଳନା ବିପର୍ଯ୍ୟୟ ଜନିତ ସମସ୍ୟା ପାଇଁ ଚାଷୀର ହତ୍ୟା ବୋଲି ସ୍ୱୀକାର କରିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚାଷୀମାନେ ସମ୍ପାଦକଙ୍କୁ ପାକ୍ସରେ ଧାନ ଦେଲା ପରେ ସମ୍ପାଦକ ଏହାର ଦାୟିତ୍ୱ ନେବା କଥା । ଏଥିପାଇଁ ସେମାନଙ୍କୁ ଆରଏମ୍‌ସିରୁ ପାରିତୋଷିକ ମିଳୁଛି । ମାତ୍ର ବୌଦ୍ଧ ଜିଲ୍ଲାର ବାଉଁସୁଣୀର ଚାଷୀ ଧରଣୀ ବେହେରାଙ୍କୁ ୨୫ ତାରିଖରେ ଟୋକନ ମିଳିଥିବା ବେଳେ ତାଙ୍କ ଧାନ ଠିକଣା ସମୟରେ ଧାନ କ୍ରୟ କରାଗଲା ନାହିଁ । ସେ ହୃଦରୋଗୀ ଥିଲେ ଓ ଧାନ ବିକ୍ରି ନ ହୋଇପାରିବାରୁ ଚାପ ହିଁ ତାଙ୍କୁ ହୃଦଘାତର ଶିକାର ହେବାକୁ ପଡ଼ିଲା ବୋଲି ଶ୍ରୀ ନନ୍ଦ ଦାବି କରିଛନ୍ତି । ସେ କହିଛନ୍ତି ଯେ, ମଣ୍ଡିରେ ଯେତେ ଅବ୍ୟବସ୍ଥା ହେବା କଥା ସେତେ ଅବ୍ୟବସ୍ଥା ଚାଲିଛି । ଚାଷ କରିନଥିବା ଲୋକଙ୍କ ଧାନ ଆଗ ଟୋକନ କରାଯାଇ କ୍ରୟ କରାଯାଉଛି । ଅସାଧୁ ଧାନ ବ୍ୟବସାୟୀମାନେ ମଣ୍ଡିକୁ ସମ୍ପୂର୍ଣ୍ଣ କବ୍ଚାରେ ରଖିଛନ୍ତି । ଜିଲ୍ଲା ପ୍ରଶାସନର ସ୍କ୍ୱାର୍ଡ଼ କୁଆଡ଼େ ବି ତଦାରଖ ପାଇଁ ବୁଲୁ ନାହିଁ, ମିଲରଙ୍କ ମର୍ଜିରେ ମଣ୍ଡି ଚାଲିଛି । ଯେକୌଣସି ଦପ୍ତରରେ ଅଭିଯୋଗ କଲେ ବି ଏହାର ସୁଫଳ ମିଳୁନାହିଁ । ବରଂ ମିଲରମାନେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ଅନ୍ତତଃ ଜଣେ ଚାଷୀର ଏଥିପାଇଁ ବଳିଦାନ ପରେ ସରକାର ଏହି ବ୍ୟବସ୍ଥାରେ ସୁଧାର ଆଣନ୍ତୁ ଓ ତୁରନ୍ତ ମୃତକ ଚାଷୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ଓ ଦୀର୍ଘ ମିଆଦିସ୍ତରରେ ଚାଷୀ ଆତ୍ମହତ୍ୟା ନହେବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ନନ୍ଦ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ