ମଥୁରାରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ପଞ୍ଚାୟତରେ ନୂତନ ଭାବେ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ସି.ଡି.ପି.ଓ କୁନ୍ତଳା କୁମାରୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜିର ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ପ୍ରଭେଦ କମିଥିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନାରୀମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେଣୁ କନ୍ୟା ସନ୍ତାନକୁ ଜନ୍ମ ପୂର୍ବରୁ ଓ ଜନ୍ମଗ୍ରହଣ ପରେ ଅବହେଳା ନକରିବା ଏବଂ କନ୍ୟା ସନ୍ତାନ ଥିବା ଗର୍ଭକୁ ନଷ୍ଟ ନକରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମାଜରେ ପୁଅଙ୍କ ସଂଖ୍ୟା ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭବିଷ୍ୟତରେ ଏହି ସମସ୍ୟା ସମାଜ ପାଇଁ ବଡ଼ ଚିନ୍ତାର କାରଣ ରୂପେ ଉଭା ହେବ। ସମସ୍ତ ନାଗରିକଙ୍କ କନ୍ୟା ସନ୍ତାନ ପ୍ରତି ଆଗ୍ରହ ବୃଦ୍ଧି ହେଲେ “ମୋ ଗେହ୍ଲା ଝିଅ” ଆଜିର ଦିନରେ ନୂତନ ଜାଗରଣ ସୃଷ୍ଟି କରିବା ସହ ସମାଜର କଲ୍ୟାଣ ହେବ ବୋଲି ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳ ପରିଦର୍ଶିକା ସଚଳା ପଣ୍ଡା , ଜାନକୀ ଦେବୀ , ଅଙ୍ଗନବାଡ଼ି କର୍ମୀ ରାଜଲକ୍ଷ୍ମୀ ମହାପାତ୍ର ସମେତ ବହୁ ଅଙ୍ଗନବାଡ଼ି କର୍ମୀ ଓ କନ୍ୟା ସନ୍ତାନଙ୍କ ଜନନୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ କନ୍ୟା ସନ୍ତାନ ଓ ସେମାନଙ୍କ ମାଆ ମାନଙ୍କୁ ବନ୍ଦାପନା କରିବା ସହ ” ମୋ ଗେହ୍ଲା ଝିଅ” ସମ୍ମାନରେ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ