ମଦ ଦୋକାନ ଫଟକରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହରର ଷ୍ଟେସନଛକ ସ୍ଥିତ ବିଦେଶୀ ମଦ ଦୋକାନ ଫାଟକରେ ଜନୈକ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଶନିବାର ସକଳେ ଉଦ୍ଧାର କରିଛି । ପିନ୍ଧା ଜାମାରେ ଫାଶୀ ଲଗାଇ ଯୁବକ ଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା । ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ସକାଳେ ପୁଲିସକୁ ଖବର ଦେଇଥିଲେ । ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନଙ୍କ ଉପସ୍ଥିତିରେ ସହଦେବଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ମୃତଶରୀରକୁ ଉଦ୍ଧାର କରିଥିଲା । ତେବେ ଯୁବକର ମୁହଁ ଓ ମୁଣ୍ଡରେ ଏକାଧିକ କ୍ଷତସ୍ଥାନ ଥିବା ଦେଖିବାକୁ ମିଳିଛି । ଯୁବକର ପରିଚୟ ମିଳି ନଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ପଚରାଉଚୁରା ଆରମ୍ଭ କରିଛି । ତେବେ ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ନିଜ ପିନ୍ଧା ସାର୍ଟରେ ଫାଶୀଦେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳ ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ଯୁବକ ଜଣକ କେଉଁ ଅଞ୍ଚଳର, ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛି କିମ୍ବା ତାଙ୍କୁ କେହି ହତ୍ୟାକରି ଏହି ମଦ ଦୋକାନ ଫାଟକରେ ଝୁଲାଇ ଦେଇଛି, ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ମୃତ ଯୁବକର ପରିଚୟ ମିଳିବା ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ମାଜିଷ୍ଟ୍ରେଟ ଦାୟିତରେ ଥିବା ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ