ମଦ ପିଇବା ମୌଳିକ ଅଧିକାର ନୁହେଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କିଛି ସପ୍ତାହ ତଳେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । କିନ୍ତୁ ସରକାର ମଦ ବିକ୍ରି ଉପରେ ସ୍ୱତନ୍ତ୍ର କରୋନା ଟ୍ୟାକ୍ସ ଲଗାଇଥିଲେ । ପ୍ରତି ମଦ ବୋତଲ ଉପରେ ୭୦% କରୋନା ଟ୍ୟାକ୍ସ ଲଗାଯାଇଥିଲା । ଏହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଅନେକ ଗୁଡ଼ିଏ ଆବେଦନ ଦାଖଲ କରାଯାଇଥିଲା । ଏହା ଉପରେ ଜବାବ ଦାଖଲ କରି ଦିଲ୍ଲୀ ସରକାର ଯୁକ୍ତି ବାଢ଼ିଛନ୍ତି ଯେ ମଦ ବିକ୍ରି କରିବା କିମ୍ବା ପିଇବା ନାଗରିକର ମୌଳିକ ଅଧିକାର ନୁହେଁ । ଏ ପ୍ରକାର ସୁବିଧା ଲୋକଙ୍କୁ ଦେବା ପାଇଁ ସରକାର କିଛି ଦେୟ ଆଦାୟ କରିପାରିବେ । ସରକାରଙ୍କ ନିକଟରେ ମଦ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଧିକାର ରହିଛି । ତେଣୁ ସରକାର ମଦ ଉପରେ କରୋନା ଟ୍ୟାକ୍ସ ଲଗାଇ କିଛି ଭୁଲ କରିନାହାନ୍ତି ।
ଦିଲ୍ଲୀ ସରକାର ପୁଣି ଦର୍ଶାଇଛନ୍ତି କି ଗତ ଏପ୍ରିଲ ମାସରେ ଲକଡାଉନ ଯୋଗୁଁ ତାଙ୍କର ରାଜସ୍ୱ ଆୟ ମାତ୍ର ୩୦୦ କୋଟି ଟଙ୍କାକୁ କମି ଯାଇଥିଲା । ୨୦୧୯ ଏପ୍ରିଲରେ ଏହା ୪୦୦୦ କୋଟି ଥିଲା । ତେଣୁ ସରକାରଙ୍କ ରାଜସ୍ୱ ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ନେବା ଜରୁରୀ ଥିଲା । ମେ’ ୪ ରୁ ୨୫ ଭିତରେ ୧୮୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ବେଳେ ଦିଲ୍ଲୀ ସରକାର ସେଇ ସମୟ ଭିତରେ ଏହି ସ୍ୱତନ୍ତ୍ର ୨୨୭.୪୪ କୋଟି ଟଙ୍କା ଆଦାୟ କରିଛନ୍ତି । ତା ଭିତରେ ୧୨୭ କୋଟି ଟଙ୍କାର କରୋନା ଟ୍ୟାକ୍ସ ବାବଦ ଅର୍ଥ ବି ଅନ୍ତର୍ଭୁକ୍ତ । ଏହି ମାମଲାର ଶୁଣାଣି ଶୁକ୍ରବାର ହେବ ବୋଲି ସ୍ଥିର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ