ମଦ ମାଂସ ପୂଜାର ବିଲୋପ ପାଇଁ ପବିତ୍ର ମହେନ୍ଦ୍ରଗିରି ଠାରେ ମହେନ୍ଦ୍ରେଶ୍ୱରୀ ମନ୍ଦିରରେ ୫୧ ବନବାସୀଙ୍କ ନବରାତ୍ର ବ୍ରତ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଓଡିଶାର ହିମାଳୟ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ବନବାସୀମାନଙ୍କ ତରଫରୁ ଏକ ନିଆରା ଢଙ୍ଗରେ ନବରାତ୍ର ବ୍ରତ ପାଳନ ଚାଲିଛି । ବନବାସୀମାନଙ୍କ ମଦ ମାଂସ ପୂଜାର ବିଲୋପ ପାଇଁ ଏହି ବ୍ରତକୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଉଛି । ମହେନ୍ଦ୍ରାଆଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀବାବା କହିଛନ୍ତି ଯେ, ଏହି ଅଞ୍ଚଳର ବନବାସୀଙ୍କ ଠାରେ ପୁରୁଷ ପୁରୁଷ ଧରି ମଦ ମାଂସର ପୂଜା ରହିଆସିଛି । ବିଶେଷ କରି ଏହି ନବରାତ୍ର ପୂଜା ପାଳନ ବେଳେ ନିଜ ନିଜର ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁକୁଡା ଓ ଛେଳିକୁ ବଳି ଦେଇ ମାଂସ ସହ ନିଜ ଘରେ ତିଆରି ମଦକୁ ନିଜ ନିଜର ଇଷ୍ଟଦେବୀଙ୍କୁ ସମର୍ପଣ କରି ପୁଜା କରିବା ପରେ ଏହାକୁ ସମସ୍ତେ ଗ୍ରହଣ କରିଥାନ୍ତି । ମଦ୍ୟ ପାନ କରି ବନବାସୀଙ୍କ ଧନଜୀବନ ବିପର୍ଣ୍ଣ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ମାଂସ ପୂଜା ନାମରେ ବଳି ପ୍ରଥା ବଢି ଚାଲିଛି । ଏହାର ବିଲୋପ ସହ ବନବାସୀଙ୍କୁ ସଚେତନ କରି ମଦ ମାଂସରୁ ନିବୃତ୍ତ ରଖିବା ବ୍ରତର ମୁଳ ଉଦ୍ଦେଶ୍ୟ । ବଳି ପ୍ରଥାର ସମ୍ପୁର୍ଣ୍ଣ ବିଲୋପ ପାଇଁ ଏହି ବ୍ରତ ପାଳନ କରି ବନବାସୀଙ୍କୁ ସଚେତନ କରାଯାଉଛି । ଚଳିତ ବର୍ଷ ମହେନ୍ଦ୍ରଗିରି ଶିଖରରେ ରହିଥିବା କୁନ୍ତୀ ମନ୍ଦିର ନିକଟରେ ରହିଥିବା ମହେନ୍ଦ୍ରେଶ୍ୱରୀଙ୍କ ମନ୍ଦିରରେ ଏହି ନବରାତ୍ର ବ୍ରତ ପାଳନ କରାଯାଉଛି । ଗତ ୬ ତାରିଖ ଠାରୁ ଏହି ବ୍ରତ ୫୧ଜଣ ବନବାସୀଙ୍କ ଦ୍ୱାରା ମହେନ୍ଦ୍ରାଆଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀବାବାଙ୍କ ମୁଖ୍ୟ ପୁରୋଧାରେ ଆରମ୍ଭ ହୋଇଛି । ୧୪ତାରିଖ ଦିନ ଏହି ବ୍ରତ ସମାପନ ହେବ । ଜଗତର କଲ୍ୟାଣ ସହ ମଦ ମାଂସ ପୂଜାର ବିଲୋପ ପାଇଁ ଏହି ୫୧ଜଣ ବନବାସୀ ଅତ୍ୟନ୍ତ ନିଷ୍ଠାର ସହ ଜପ,ତପ,ହୋମ,ଯଜ୍ଞ ଆଦି ଦ୍ୱାରା ଦିନକୁ ମାତ୍ର ମଧ୍ୟାହ୍ନ ସମୟରେ ଗୋଟିଏ ବେଳା ଅନ୍ନ ପ୍ରସାଦ ଗ୍ରହଣ କରି ବ୍ରତ ପାଲନ କରିଆସୁଛନ୍ତି । ୧୪ ତାରିଖ ବ୍ରତ ସମାପନ ପରେ ବନବାସୀଙ୍କୁ ସମ୍ପୁର୍ଣ୍ଣ ସଚେତନ ପାଇଁ ଏହି ବନବାସୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ