ମଧ୍ୟପ୍ରଦେଶରେ ଉକ୍ରଟ ଜଳାଭାବ ପିଇବାକୁ ପାଣି ନପାଇ ୧୫ ମାଙ୍କଡ଼ ମୃତ
ଭୋପାଳ(ଏଜେନ୍ସି): ଉତ୍ତର ଏବଂ ମଧ୍ୟ ଭାରତରେ ଏବେ ଗ୍ରୀଷ୍ମ ଲହର ଅବ୍ୟାହତ ରହିଥିବା ବେଳେ ଜଳାଭାବ ସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମଧ୍ୟପ୍ରଦେଶରେ ଜଳ ସଂକଟ ଉକ୍ରଟ ରୂପ ଧାରଣ କରିଛି । ଭୀଷଣ ଗରମ ଓ ପିଇବା ପାଣି ସମସ୍ୟା କାରଣରୁ ଜନସାଧାରଣଙ୍କ ସମେତ ପଶୁପକ୍ଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି । ତାପମାତ୍ରା ବୃଦ୍ଧି ଯୋଗୁ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଜଳାଭାବ ଯୋଗୁ ପଶୁପକ୍ଷୀମାନେ ଡହଳବିକଳ ହେଉଛନ୍ତି । ମିଳିଥିବା ଏକ ଦୁଃଖଦ ସୂଚନାନୁସାରେ ମଧ୍ୟପ୍ରଦେଶର ଦେୱାସ ଜିଲ୍ଲା ଅର୍ନ୍ତଗତ ପୁଞ୍ଜାପୁରା ରେଞ୍ଜ ଅନ୍ତର୍ଗତ ଜୋଶୀବାବା ଜଙ୍ଗଲରେ ୧୫ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଛି । ପିଇବା ପାଇଁ ପାଣି ନପାଇ ଅଂଶୁଘାତରେ ଏମାନଙ୍କ ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଜଙ୍ଗଲଠାରୁ ୮ଶହ ମିଟର ଦୂରରେ ଏକ ନଦୀ ପ୍ରବାହିତ ହେଉଛି । କିନ୍ତୁ ଖରାଦିନେ ସେଥିରୁ ପାଣି ଶୁଖିଯାଇଥାଏ । ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଅବଶ୍ୟ ଅନ୍ୟ ଏକ ସ୍ଥାନରେ ଅଳ୍ପ ପାଣି ରହିଛି । କିନ୍ତୁ ତାହାକୁ ୫୦ରୁ ୬ଠ ହନୁ ମାଙ୍କଡ଼ ଦଳ ଘେରି ରହିଛନ୍ତି । ଅନ୍ୟ ଜୀବଜନ୍ତୁ ଏପରିକି ଅନ୍ୟ ଗୋଷ୍ଠୀର ମାଙ୍କଡଙ୍କୁ ମଧ୍ୟ ସେଠାରେ ସେମାନେ ପାଣି ପିଇବାକୁ ସୁଯୋଗ ଦେଉନାହାନ୍ତି । ଏହି କାରଣରୁ ଶନିବାର ୧୫ ମାଙ୍କଡ଼ ପିଇବାକୁ ପାଣି ନ ପିଇ ପ୍ରାଣ ହରାଇଛନ୍ତି ।