ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହିଙ୍କ ଦ୍ୱାରା କୁଜଙ୍ଗ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ
ପାରାଦୀପ, (ପୀତବାସ ପ୍ରଧାନ) :-ଐଁତିହ୍ୟ ସମ୍ପନ୍ନ କୁଜଙ୍ଗ ମାଟିର ବିରତ୍ୱ ଗାଥା ଓ କଳା ସଂସ୍କୃତିକୁ ମନେପକାଇବାପାଇଁ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ବନବିହାରୀ ହାଇସ୍କୁଲ କୁଜଙ୍ଗ ପରିସରରେ ଆୟୋଜନ ହେଉଥିବା ଭବ୍ୟ କୁଜଙ୍ଗ ସାଂସ୍କୃତିକ ମହୋତ୍ସବ ଆଜି ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି । ଏହି ସାଂସ୍କୃତିକ ମହୋତ୍ସବକୁ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିବା ଅବସରରେ କୁଜଙ୍ଗର ଗୌରବମୟ ଗାଥା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ମାନ୍ୟବର ଜଗତ୍ସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସ୍ୱତନ୍ତ୍ର ଅତିଥିଭାବେ କୁଜଙ୍ଗ ସାଂସ୍କୃତିକ ମହୋତ୍ସବର ମୁଖ୍ୟ ଉପଦେଷ୍ଠା ତଥା ପାରାଦିପ ବିଧାୟକ ସମ୍ବିତ ରାଉତରାୟ, ସମ୍ମାନୀତ ଅତିଥି ଶ୍ରମିକ ନେତା ତଥା ରାଜ୍ୟବିଜୁ ଜନତାଦଳ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ଅନ୍ୟତମ ଅତିଥି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ପ୍ରମୁଖ ଯୋଗଦେଇ କୁଜଙ୍ଗର ମହାନ ଗାରିମାମୟ ଐଁତିହ୍ୟ, ସଂସ୍କୃତି ଓ ସ୍ୱାଧିନତା ସଂଗ୍ରାମ ସମ୍ପର୍କରେ ସ୍ମୃତି ଚାରଣ କରିବା ସଂଗେ ସଂଗେ ଏହି ସାଂସ୍କୃତିକ ମହୋତ୍ସବ ଭାଇଚାରା, ଏକତା ସୃଷ୍ଟି କରିବାରେ ଅଂଚଳର ଅନନ୍ୟ ଉଜ୍ଜ୍ୱଳ ଆଲୋକ ବର୍ତିକା ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ କୁଜଙ୍ଗ ସାଂସ୍କୃତିକ ମହୋତ୍ସବ କମିଟିର ସଭାପତି ତଥା କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ସଭାପତିତ୍ୱ କରିଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ କୁଜଙ୍ଗ ତଥା କୁଜଙ୍ଗ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ସୌମଶ୍ରୀ ପାଣିଗ୍ରାହି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସଂଗଠନ ସମ୍ପାଦକ ରଘୁନାଥ ସାହୁ ମହୋତ୍ସବ ଆଭିମୁଖ୍ୟ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ କୁଜଙ୍ଗ ସରପଂଚ ବନ୍ଦୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


