ମମତାହୀନ ‘ମମତା’ ଯୋଜନା ! ଛୁଆଙ୍କୁ ହେଲାଣି ୪ବର୍ଷ,  ମା’ ଆକାଉଣ୍ଟକୁ ଆସିନି ଟଙ୍କାଟିଏ:ତଦନ୍ତ ହେବ କେବେ ? 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ତାହାର ସୁଫଳ ସ୍ଥଳରେ ସାଧାରଣ ହିତାଧିକାରୀ ଏହାର ଫାଇଦା ନେଇ ପାରୁନାହାନ୍ତି ।  ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ବ୍ଳକରୁ। ସରକାରଙ୍କ ମମତା ଯୋଜନା ଦାରିଙ୍ଗବାଡ଼ି ବ୍ଲକରେ ମମତାହୀନ ହୋଇଥିବା ଅଭିଯୋଗ ହୋଇଛି। ମାସେ ନୁହେଁ କି ଦୁଇ ମାସ ନୁହେଁ ପ୍ରସବର ଦୀର୍ଘ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ  ଟଙ୍କାଟିଏ ମମତା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହୋଇନି।ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ପଞ୍ଚାୟତର ଦୁର୍ଗମ ଜାଗାଡ଼ି ଗ୍ରାମର ଏକାଧିକ ପ୍ରସୂତୀ ସରକାରଙ୍କ ମମତା ଯୋଜନାରୁ ଟଙ୍କାଟିଏ ବି ପାଇନଥିବା ଅଭିଯୋଗ କରିଛନ୍ତି। ଗ୍ରାମର ରୀତାଞ୍ଜଳି ପ୍ରଧାନଙ୍କର ଗୋଟିଏ ପୁଅକୁ ୪ବର୍ଷ ବୟସ ହୋଇଥିବା ବେଳେ ସାନ ପୁଅକୁ ବର୍ଷେ ୭ମାସ , ସୁକୁମାରି ଗଗେରଙ୍ଗାଙ୍କ ପୁଅକୁ ୨ବର୍ଷ , ସୁନିତା ପ୍ରଧାନଙ୍କ ପୁଅକୁ ୪ବର୍ଷ , ରିମନ୍ତି ପ୍ରଧାନଙ୍କ ଝିଅକୁ ୩ବର୍ଷ, ହାନା ଦିଗାଳଙ୍କ ପୁଅକୁ ବର୍ଷେ ୭ମାସ, ସୁଲତା ପ୍ରଧାନଙ୍କ ଝିଅକୁ ୭ମାସ ଏବଂ ଇନଜିନି ପ୍ରଧାନଙ୍କ ପୁଅକୁ ୨ମାସ ହୋଇଛି। ଆଜି ପର୍ଯ୍ୟନ୍ତ  ମମତା ଯୋଜନା ଟଙ୍କା ଏହିସବୁ ପ୍ରସୂତିଙ୍କ ପାଇଁ ସ୍ୱପ୍ନ ପାଲଟିଛି। କେବଳ ସେତିକି ନୁହେଁ ଡାକ୍ତରଖାନାରେ ପ୍ରସବ କରିବା ପରେ ସରକାରଙ୍କ ନିୟମ ଅନୁସାରେ ୧୪ଶହ ଟଙ୍କା ଦେବାର ବ୍ୟବସ୍ଥା ଥିବା ସତ୍ୱେ ତାହା ମଧ୍ୟ ପ୍ରସୂତିଙ୍କୁ ଦିଆଯାଇନଥିବା ଏମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ମମତା ଯୋଜନାରେ ୨ଟି ପର୍ଯ୍ୟାୟ ରେ ପ୍ରସୂତିଙ୍କୁ ୫ହଜାରଟଙ୍କା ମିଳିବା କଥା। ପ୍ରଥମ ପର୍ଯ୍ୟାୟ ରେ ପ୍ରସବ ପୂର୍ବରୁ ୩ହଜାର ଏବଂ ଛୁଆକୁ ୧୦ମାସ ବୟସ ହେଲେ ଆଉ ୨ହଜାର ଟଙ୍କା ଦିଆଯିବାର ପ୍ରାବଧାନ ରହିଛି। କିନ୍ତୁ ଏହି ଗ୍ରାମର ଛୁଆମାନେ ଜନ୍ମ ହେବାର ବର୍ଷବର୍ଷ ବିତିଯାଇ ସ୍କୁଲ ଯିବା ବୟସରେ ଉପନୀତ ହେବା ସତ୍ତ୍ବେ ଏହି ଯୋଜନାରେ ମା’ମାନେ ଟଙ୍କାଟିଏ ପାଇ ନାହାଁନ୍ତି। ମମତା ଯୋଜନାରେ ଟଙ୍କା ପାଇବା ପାଇଁ ପ୍ରସୂତିମାନେ ସୁଜାମାଜୁ ଅଙ୍ଗନବାଡ଼ି କର୍ମୀଙ୍କ ନିକଟକୁ ଯାଇ ନେହୁରା ହୋଇଥିଲେ, ଆଉ ମମତା ଯୋଜନା ଫର୍ମ ପୂରଣ କରିଥିଲେ।  ଯଦି ପ୍ରସୂତିଙ୍କୁ ମମତା ଯୋଜନାରେ ଅର୍ଥ ଦିଆଯାଉନି ତେବେ ଏହି ଯୋଜନା କାହା ସ୍ୱାର୍ଥରେ ବୋଲି ଓାର୍ଡମେମ୍ବର ଲତା ପ୍ରଧାନ ପ୍ରଶ୍ନ କରିଛନ୍ତି। କେବଳ ଉପରୋକ୍ତ ୭ଜଣ ମହିଳା ନୁହଁନ୍ତି ବରଂ ଗ୍ରାମର ଆହୁରି ଅନେକ ମହିଳାଙ୍କୁ ମଧ୍ୟ ଏହି ଯୋଜନାରେ ଟଙ୍କାଟିଏ ମିଳିନଥିବା ୱାର୍ଡମେମ୍ବର ଅଭିଯୋଗ କରିଛନ୍ତି। ମମତା ଫର୍ମ ପାଇଁ ଟଙ୍କା ଆଦାୟ କରିବା ବେଆଇନ ବୋଲି କହିବା ସହିତ ଘଟଣାର ତଦନ୍ତ ନିମନ୍ତେ ସୁପରଭାଇଜରଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ଦାରିଙ୍ଗବାଡ଼ି ସିଡିପିଓ ଦ୍ରୌପଦୀ କହଁର। ପ୍ରସୂତିଙ୍କ ରିପୋର୍ଟ ସଠିକ ଭାବେ ସିଡିପିଓଙ୍କ କାର୍ଯ୍ୟାଳୟକୁ ଅଙ୍ଗନବାଡ଼ି କର୍ମୀ ଜଣକ ପଠାଇନଥିବାରୁ ମହିଳାମାନେ ଯୋଜନାରୁ ସୁଫଳ ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ପର୍ତମାହା ପଞ୍ଚାୟତ ସୁପରଭାଇଜର ଭବନ୍ତି ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ