ମରଣାନ୍ତକ ଆକ୍ରମଣ ଘଟଣାରେ ଆଳି ଥାନା ପୋଲିସର ନିଷ୍କୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ସଂପ୍ରଦାୟର ମହିଳା
କେନ୍ଦ୍ରାପଡ଼ା – ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମର ଦଳିତ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷମାନେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨ତାରିଖ ରାତିରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ଓ ଭଷାଣି ଚାଲିଥିବା ବେଳେ କେତେକ ସବର୍ଣ୍ଣ ସଂପ୍ରଦାୟର ଯୁବକ ଦଳିତ ସଂପ୍ରଦାୟର ସରସ୍ୱତୀ ମେଢକୁ ଅଯଥା ବାଟରେ ଅଟକାଇ ବିଳମ୍ବ କରିଥିଲେ । ଦଳିତ ଯୁବକମାନେ ଏହାର ପ୍ରତିବାଦ କରିବାରୁ ସେମାନେ ସରପଂଚଙ୍କ ପ୍ରତିନିଧିଙ୍କ ପ୍ରରୋଚନାରେ ଦଳିତ ଯୁବକମାନଙ୍କୁ ଠେଙ୍ଗାରେ ମାଡ ମାରିବା ସହ ଦଳିତ ଯୁବକମାନଙ୍କ ଉପରକୁ ଇଟା ଫୋପାଡି ମରଣାନ୍ତକ ଆକ୍ରମଣ କରିବାରୁ ସେଥିରେ ଗୁରୁତ୍ତର ଆଘାତପ୍ରାପ୍ତ ହୋଇ ୨ଜଣ କଟକ ବଡ ଡାକ୍ତରଖାନାରେ ଓ ୫ଜଣ ଆଳି ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଏସମ୍ପର୍କରେ ଆଳି ଥାନାରେ ଅଭିଯୋଗ ହେବାରେ ଆଳି ଥାନା କେଶ ନମ୍ବର ୨୮/୨୦୨୦ ରେ ଆଇ.ପି.ସି.ର ୩୪୧,୩୨୩,୨୯୪,୩୩୬,୩୦୭,୩୫୪(ଖ),୫୦୬ ଓ ୩୪ ଦଫାରେ ଗତ ତା ୩.୦୨.୨୦୨୦ରିଖରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ସେମାନେ ଅଭିଯୋଗ କରିଥିଲେ । ସେମାନେ ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସଡିପିଓ ଙ୍କୁ ସାକ୍ଷାତକରି ବାରମ୍ବାର ଜଣାଇଥିଲେ ମଧ୍ୟ ଘଟଣାର ୧୨ଦିନ ପରେବି କୈାଣସି ପଦକ୍ଷେପ ପୋଲିସ ପକ୍ଷରୁ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟହୋଇ ପୋଲିସର ନିଷ୍କ୍ରୀୟତା ପ୍ରତିବାଦରେ ଆଜି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଜୁଆଣିଆ ଦଳିତ ସାହିର ବାସୀନ୍ଦାଙ୍କ ପକ୍ଷରୁ ଉମାକାନ୍ତ ମଳିକ, ଉତ୍ତମ ମଳିକ, ଜୟନ୍ତୀ ମଳିକ, ମଞ୍ଜୁଲତା ମଳିକ, ସଂଯୁକ୍ତା ମଳିକ, ଟୁନା ଜେନା, ବାସନ୍ତି ମଳିକ, ବୈକୁଣ୍ଠ ଜେନା, ଅଟଳ ଜେନା ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।