ମରାଠୀ ଲୁକ୍ରେ ଛାଇଗଲେ ଫାତିମା
ବ୍ଲକ୍ବଷ୍ଟର ସିନେମା ‘ଦଙ୍ଗଲ’ରେ ହରିୟାଣି ପହଲବାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଫାତିମା ସାନା ଶେଖ ଆଗାମୀ ଫିଲ୍ମ ‘ସୁରଜ ପେ ମଙ୍ଗଳ ଭାରୀ’ରେ ମରାଠୀ ମହିଳା ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କ ସହକଳାକାର ମନୋଜ ବାଜପେୟୀ ଇନ୍ଷ୍ଟାଗ୍ରାମରେ ଶୁକ୍ରବାର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ମନୋଜଙ୍କ ସହିତ ଫାତିମା ଓ ସୁପ୍ରିୟା ପିଲଗାୱଁକର ନଜର ଆସୁଛନ୍ତି।
ମହାରାଷ୍ଟ୍ରର ଲୋକପ୍ରିୟ ଶାଢ଼ି ପିନ୍ଧି ଦୁଇ ଅଭିନେତ୍ରୀଙ୍କ ସହିତ ଫଟୋ ଶେୟାର କରି ମନୋଜ କ୍ୟାପସନ୍ରେ ଲେଖିଛନ୍ତି ଯେ ‘ସୁରଜ ପେ ମଙ୍ଗଳ ଭାରୀ’ର ମହିଳାଙ୍କ ସହିତ ଟ୍ରେନରେ। ସୂତ୍ରନୁସାରେ ଫାତିମା ଏହି ଫିଲ୍ମର ଶୁଟିଂ ପୂର୍ବରୁ ନିଜ ଚରିତ୍ରରେ ନିଜକୁ ଭଲ ଭାବେ ଢାଳିବା ଲାଗି ଶାରୀରିକ ଢଙ୍ଗ, ହାବଭାବ ଉପରେ କାମ କରିଥିଲେ। ଫିଲ୍ମ ପାଇଁ ସେ ନିଜଠାରେ ଅନେକ ପରିବର୍ତ୍ତନ କରିଥିଲେ। ତେଣୁ ଦର୍ଶକଙ୍କୁ ତାଙ୍କ ଚରିତ୍ରରେ ବାସ୍ତବିକତାର ପୁଟ ଦେଖିବାକୁ ମିଳିବ। ‘ସୁରଜ ପେ ମଙ୍ଗଳ ଭାରୀ’ ସିନେମା ଏକ ପାରିବାରିକ କମେଡି ସିନେମା ଅଟେ। ଯାହା ୯୦ ଦଶକର ମୁମ୍ବାଇ ଉପରେ ଆଧାରିତ। ଫିଲ୍ମରେ ଦିଲଜିତ ଦୋସାଞ୍ଝା ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମକୁ ଜୀ ଷ୍ଟୁଡିଓଜ ପ୍ରଯୋଜନା କରୁଛି।