ମସ୍ତିଷ୍କ ସକ୍ରିୟ ରହିବାର ନୂଆ ଉପାୟ
ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ମସ୍ତିଷ୍କ । ଏହା ଅକାମୀ ହୋଇଗଲେ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ । ଏହାକୁ ସକ୍ରିୟ ରଖିବାର ଏକ ନୂଆ ଉପାୟ ଖୋଜି ପାଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ । ଏକ ସଦ୍ୟତମ ଗବେଷଣାରୁ ସେମାନେ ଏ ନେଇ ଏକ ରୋଚକ ତଥ୍ୟ ଜାଣିବାକୁ ପାଇଛନ୍ତି । ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଗୋଟିଏ ଅଣ୍ଡା ଖାଆନ୍ତି ତେବେ ତାଙ୍କର ମସ୍ତିଷ୍କ ପୂର୍ବାପେକ୍ଷା ବେଶ୍ ସକ୍ରିୟ ରହିବ । କେବଳ ସେତିକି ନୁହେଁ, ଏଭଳି କଥା ପଛରେ କେତେ ସତ୍ୟତା ରହିଛି ତାହା ସେମାନେ ଏକ ସର୍ଭେ କରି ଜାଣିବାକୁ ପାଇଥିଲେ । ଗବେଷଣା ପରିସରଭୁକ୍ତ କିଛି ବ୍ୟକ୍ତିଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ କୁହାଯାଇଥିଲା । କିଛି ସପ୍ତାହ ବ୍ୟବଧାନ ପରେ ଏମାନଙ୍କର ମସ୍ତିଷ୍କ ପୂର୍ବ ଅପେକ୍ଷା ଆହୁରି ସକ୍ରିୟ ରହୁଥିବାର ଜଣାପଡ଼ିଥିଲା ।


