ମହଙ୍ଗା ଭତ୍ତା ବୃଦ୍ଧିପରେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦୀର୍ଘବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇଥିବା ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ଦାବିକୁ ସମ୍ମାନ ଜଣାଇ ସଙ୍ଘର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିଷଦ ଆଲୋଚନା କରାଯାଇଥିଲା । ଏହି କର୍ମଚାରୀମାନଙ୍କୁ ଗତ ୨୦୧୬ମସିହା ଜାନୁଆରୀମାସ ପହିଲା ଠାରୁ ବେତନ ବୃଦ୍ଧି, ଠିକା ନିଯୁକ୍ତି ସମୟକୁ ଚାକିରୀ ସମୟ ଭାବେ ଗଣତି ସହ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଛେଦ ପାଇଁ ସଙ୍ଘ ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ସଙ୍ଘ ପ୍ରତିନିଧିଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ୫-ଟି ସଚିବ କହିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପ୍ରତିିଶୃତି ଦେଇଥିଲେ । ସେହିପରି ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ସହ ତୁରନ୍ତ ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ନିବେଦନ କରିଥିଲା । ଏସମ୍ପର୍କିତ ନଥି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଛି ଉ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଗତ ୮ତାରିଖରେ ରାଜ୍ୟ ସରକାର ନିୟମିତ କର୍ମଚାରୀମାନଙ୍କ ପାଇଁ ୧୧ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଜିଆଇଏସ ୪ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ଯଦି ଦଶହରା ଭିତରେ କିଛି ଘୋଷଣା ନକରନ୍ତି ତେବେ ସଙ୍ଘ ପକ୍ଷରୁ ଏକ ବିରାଟ ଆନ୍ଦୋଳନ ପାଇଁ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ରାଜ୍ୟ ମହାସଙ୍ଗ ସଭାପତି ବିଜୟ ମଲ୍ଲ, ଉପଦେଷ୍ଟା ପ୍ରଭାତ ମହାନ୍ତି, ଜିଲ୍ଲା ସଭାପତି ପ୍ରୀତିରଞ୍ଜନ ପ୍ରଧାନ, ସଂଯୋଜକ ଅନିତା ବେହେରା, ଉଲ୍ଲାଶ ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ, ସୁଚିତ୍ର କୁମାର ରାଉତ, ଦିଲ୍ଲିପ କୁମାର ଖଟୁଆ, ନିହାରରଞ୍ଜନ ନାୟକ, ଜିତେନ୍ଦ୍ର କୁମାର ବେହେରା, ନିହାରରଞ୍ଜନ ରଏ, ଦିପକ କୁମାର ପରିଡା, ଜୟଶ୍ରୀ ସାହୁ, ରାଜଶ୍ରୀ ପ୍ରଧାନ, ପ୍ରିୟଦର୍ଶିନୀ ନାୟକ, ସ୍ୱାଧୀନା ଦାସ, ପାର୍ଥସାରଥି ପରିଡା, ରମାକାନ୍ତ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ