ମହଙ୍ଗା ମାଡରେ ସାବିତ୍ରୀ ଫିକା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସ୍ଥାନୀୟ ବଜାରରେ କେବଳ ତେଜରାତି ଜିନିଷ ଓ ପରିବାପତ୍ର ନୁହେଁ, ଫଳ ଦର ବି ଆକାଶ ଛୁଆଁ । ତେଣୁ ଚଳିତ ମାସ ୩୦ ତାରିଖରେ ସାବିତ୍ରୀ ବ୍ରତ କେମିତି ଆଡମ୍ବର ସହକାରେ ପାଳନ କରାଯିବ ସେ ନେଇ ଗୃହିଣୀମାନେ ଚିନ୍ତାରେ । ମୁଖ୍ୟତଃ ଆମ୍ବ, ନଡିଆ, କଦଳୀ ପୂଜା ପାଇଁ ଦରକାର ପଡୁଥିବା ବେଳେ ଆମ୍ବ କିଲୋ ପିଛା ବର୍ତ୍ତମାନ ୧୨୦ ଟଙ୍କା ରହିଛି । ନଡିଆ, କଦଳୀ ସହିତ ଅନ୍ୟ ଫଳର ଦାମ୍ ବି କିଛି କମ୍ ନୁହେଁ । ଏଣେ ମାସ ଶେଷ । ଚାକିରିଆ ସତ୍ୟବାନମାନେ ପର୍ସ ଦେଖାଇ ସାବିତ୍ରୀମାନଙ୍କୁ କହୁଛନ୍ତି ଦେଖ ମାସ ଶେଷ ପୂରା ପକେଟ ଖାଲି । ଯେତେ କମ୍ରେ ସମ୍ଭବ ଚଳାଇ ନିଅ । ଅନ୍ୟମାନେ ୫ କିଲୋ ଆମ୍ବ କିଣିବାକୁ ଥିବା ବେଳେ କିଲେ ଆମ୍ବ କିଣୁଛନ୍ତି । ବିଧି ତୁଲାଇବା ପାଇଁ ଅନ୍ୟ କିଛି ଫଳ । ମହଙ୍ଗା ମାଡ ଲୋକେଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ମତ ପ୍ରକାଶ ପାଇଥିବା ବେଳେ ମହଙ୍ଗା ମାଡରେ ସାବିତ୍ରୀ ଫିକା ପଡିଯିବେ ବୋଲି ଆଲୋଚନା ମଧ୍ୟ ହେଉଛି ।


