ମହଙ୍ଗା ହେବ ବାଇକ୍ ଓ ଟ୍ରାକ୍ଟର
ନୂଆଦିଲ୍ଲୀ, (ୱାଇଏନ୍ଏସ୍) : ଏପ୍ରିଲ୍ରୁ କାର୍, ବାଇକ୍ ଓ ଟ୍ରାକ୍ଟର ମହଙ୍ଗା ହେବ। ଦେଶର ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଦର ବୃଦ୍ଧି ହେବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା। ଏହା ପରେ ନିସାନ ମଧ୍ୟ ଏହାର ବିଭିନ୍ନ ଗାଡ଼ିର ଦାମ୍ ବଢ଼ାଇବ ବୋଲି ଘୋଷଣା କରିଛି। ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀର ଦାମ୍ ବଢ଼ିଥିବା ବେଳେ ପୁଣି ଥରେ କରୋନା ସଂକ୍ରମଣ ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରୁ ସାମଗ୍ରୀଗୁଡ଼ିକ ଠିକ୍ ସମୟରେ କାରଖାନାରେ ପହଞ୍ଚିପାରୁନାହିଁ। ଯୋଗାଣ ବ୍ୟାହତ ହୋଇଥିବାରୁ ଗାଡ଼ି କଂପାନିଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ବିଷୟ ବିଚାରକୁ ନେଇ ସେମାନେ ନିଜ ଗାଡ଼ିର ଦାମ୍ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଗାଡ଼ି ଦାମ୍ରେ ବୃଦ୍ଧି ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁଆରିରେ ବିଭିନ୍ନ ଗାଡ଼ିର ଦାମ୍ ବଢ଼ିଥିଲା। କରୋନା ଭୟରେ ପୁଣି ଥରେ ଲାଗୁ ହେଉଥିବା କଟକଣା ଯୋଗୁଁ କେତେକ ସାମଗ୍ରୀ ଠିକ୍ ଭାବେ କଂପାନିଗୁଡ଼ିକ ପାଖରେ ପହଞ୍ଚିପାରୁନାହିଁ। ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟ ପକ୍ଷରେ ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ ଭଳି ଆଉ କେତେକ ଧାତବ ସାମଗ୍ରୀର ମୂଲ୍ୟ ବଢ଼ିଥିବା ବେଳେ ପ୍ଳାଷ୍ଟିକ୍ ମଧ୍ୟ ମହଙ୍ଗା ହୋଇଛି। ଫଳରେ କଂପାନିଗୁଡ଼ିକୁ ପ୍ରତି ଗାଡ଼ି ନିର୍ମାଣ ପାଇଁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।


