ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ ଭୁବନେଶ୍ୱରରେ କୃଷକ ଗଣସତ୍ୟାଗ୍ରହ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ କୃଷକ ବିରୋଧୀ କୃଷି ଆଇନ ରଦ୍ଦ କରିବା ଦାବିରେ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀମାର୍ଗଠାରେ ‘କୃଷକ ଗଣସତ୍ୟାଗ୍ରହ’ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଚାଲିଥିବା ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ୬୬ଦିନ ହୋଇସାରିଛି । କେନ୍ଦ୍ର ସରକାର କୃଷକମାନଙ୍କ ଏହି ଐତିହାସିକ, ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଆନ୍ଦୋଳନକୁ ସମ୍ମାନ ଦେଇ କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ଆନ୍ଦୋଳନକୁ ବଦନାମ କରିବା ପାଇଁ ମିଥ୍ୟା, ଅସତ୍ୟ ଏବଂ ପ୍ରାୟୋଜିତ ଅପପ୍ରଚାର ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତି ପ୍ରକାଶ କରିଛି । କୃଷକ ଆନ୍ଦୋଳନକୁ ସମ୍ମାନ ଜଣାଇ ସଂସଦର ଚଳିତ ଅଧିବେଶନରେ କୃଷକ ବିରୋଧୀ ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଦାବି କରାଯାଇଛି । ନତୁବା ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ ଶାନ୍ତି, ସତ୍ୟ, ଅହିଂସା ଏବଂ ଗଣତାନ୍ତ୍ରିକ ପଦ୍ଧତିରେ କୃଷକ ବିରୋଧୀ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତିର ନେତୃବୃନ୍ଦମାନେ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପୋଲିସ୍ ଏବଂ ଗୁଣ୍ଡା ବାହିନୀକୁ ଲଗାଇବା କାର୍ଯ୍ୟ ଦୃଢ ନିନ୍ଦନୀୟ ଘଟଣା ଅଟେ । ସରକାର ଏହି କୃଷକ ବିରୋଧୀ ନିର୍ଯ୍ୟାତନାରୁ କ୍ଷାନ୍ତ ରହିବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି ଚେତାବନୀ ଦେଇଛି । ଆଜି ସାରା ରାଜ୍ୟରେ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକସ୍ତରରେ କୃଷକ ଗଣ ସତ୍ୟାଗ୍ରହ ସଂଗଠିତ ହୋଇଯାଇଛି । ଆଜିକାର ଅନଷ୍ଠିତ କୃଷକ ଗଣସତ୍ୟାଗ୍ରହରେ କୃଷକନେତା ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, କ୍ଷୀରୋଦ ସିଂହଦେଓ, କୃଷ୍ଣଚରଣ ରାଉତ, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ଜ୍ୟୋତିରଞ୍ଜନ ମହାପାତ୍ର, ନିଶିକାନ୍ତ ମହାପାତ୍ର, ଶଙ୍କର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଭାତ ପାଣିଗ୍ରାହୀ, ରାଜେଶ ଜାନି, ବିଶିଷ୍ଟ ସାମାଜିକ କର୍ମୀ ଦେବପ୍ରସାଦ ରାୟ ଏବଂ ମହିଳା କୃଷକନେତ୍ରୀ ପ୍ରମୋଦିନୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହା ସହିତ ଶ୍ରମିକ ନେତା ଜୟନ୍ତ ଦାସ, ପ୍ରଶାନ୍ତ ମିଶ୍ର, କୃଷକ ନେତା ସନାତନ ପାତ୍ର, ମହିଳା ନେତ୍ରୀ ପୁଷ୍ପା ଦାସ, ମିନତୀ ପାଣିଗ୍ରାହୀ, ସ୍ୱାତୀ ମିଶ୍ର, ସାମାଜିକ କର୍ମୀ ମହମ୍ମଦ ସୁକୁରୁ, କବି ଲେନିନ କୁମାର ପ୍ରମୁଖ ନେତୃବୃନ୍ଦ ଏବଂ ଅନେକ କର୍ମୀ ଏହି ଗଣସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।