ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାର ସ୍ମାରକି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-୧୯୩୪ ମସିହା ମେ ମାସ ୨୭ ରୁ ୨୯ ତାରିଖ ୩ଦିନଧରି ଜାତିର ପିତା ମହାତ୍ମା ଗାନ୍ଧୀ ସ୍ଥାନୀୟ ଗରାପୁର ଡାକବଙ୍ଗଳା ଠାରେ ହରିଜନ ପଦଯାତ୍ରରେ ଆସି ଅବସ୍ଥାନ କରିଥିଲେ । ଏହି ଯାତ୍ରା ସମୟରେ ଗାନ୍ଧିଜୀ ଚାନ୍ଦୋଳର ସଲାର ମଠ ଠାରେ ୨୬ ତାରିଖ ଦିନ ଖୋଲା ପଡିଆରେ ରାତ୍ରରେ ରହି ତା ପରଦିନ ବାଲିଆ, ତିନିମୁହାଣୀ ଆଦି ସ୍ଥାନରେ ସଭା କରିଥିଲେ । ୩୦ ତାରିଖ ଦିନ ବାରିମୂଳ ଗାନ୍ଧୀ ପଡିଆ ଠାରେ ସଭା କରିବା ପରେ ଇନ୍ଦୁପୁରର ଧୂମାତ ଠାରେ ଭକ୍ତବିଳାସ ମଠରେ ହରିଜନମାନଙ୍କୁ ମନ୍ଦିର ପ୍ରବେଶ କରାଇ ଛୁଆଁ ଅଛୁଆଁ ଜାତି ଭେଦକ ଦୂର କରିଥିଲେ । ଉକ୍ତ ଐତିହାସିକ ଦିନକୁ ସବୁଦିନ ମନେ ପକାଇବାକୁ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଉତ୍ତର ଦାୟଦ ସଂଗଠନ ଗରାପୁର ଡାକବଙ୍ଗଳା ଠାରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସଭାପତି ବିମ୍ବାଧର ମୁଦୁଲିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କମିଟିର ମୁଖ୍ୟ ଉପଦ୍ଦେଷ୍ଟା ତଥା ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ ଅନୁଷ୍ଠାନ କିପରି ସବୁଦିନ ବଂଚି ରହିବ ଓ ଉତ୍ତର ପିଢିଙ୍କୁ ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଉତ୍ତର ଦାୟଦମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି କେନ୍ଦ୍ରାପଡା ବିକାଶ ସାମୁଖ୍ୟର ସମ୍ପାଦକ ଅଜୟ ସାମଲ ଆଗାମୀ ଦିନରେ ସମସ୍ତେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନନୀୟ ଅତିଥି ବିପିନ ବିହାରୀ ବାରିକ, ଦାୟଦ ସଂଘର ସଭାପତି କୁଳମଣୀ ରାଉତ, ପରିବେଶବିତ୍ ତଥା ସମାଜସେବୀ ନିକିରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରା ବକ୍ତବ୍ୟ ରଖିଥିଲେ । ସ୍ୱାଧୀନତା ସଂଗ୍ରାମୀ ସମିତିର ସମ୍ପାଦକ ଗୋପାଳ କୃଷ୍ଣ ଜେନା ସମ୍ପାଦକୀୟ କ୍ରମରେ ୩ଟି ପ୍ରସ୍ତାବ ରଖିଥିଲେ । ସେଗୁଡିକ ହେଲା ଡାକବଙ୍ଗଳା ଛକକୁ ଗାନ୍ଧୀଛକ ଘୋଷଣ, ଗୁଲନଗରଠାରୁ ଇନ୍ଦୁପୁର ରାସ୍ତାର ନାମ ଗାନ୍ଧୀମାର୍ଗ ଓ ପ୍ରତିବର୍ଷ ମେ ମାସ ୨୮ ତାରିଖକୁ ପଦଯାତ୍ରା ଦିବସ ଭାବେ ସରକାର ପାଳନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦାୟଦ ସଂଘ ସମ୍ପାଦକ ପଦ୍ମନାଭ ଦାସ, ରମଣୀ ରଞ୍ଜନ ରାଉତ, ଆଦିକନ୍ଦ ରାଉଳ, ସୁରେଶ ପଟ୍ଟନାୟକ, ବୈଷ୍ଣବ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ପ୍ରଧାନ, ଅମୂଲ୍ୟ ସାହୁ, ନିରଞ୍ଜନ ସାହୁ, ଅକ୍ଷୟ ରାଉତ, ପ୍ରଦୀପ ଦାସ, ଗଦାଧର ନାୟକ, କୃପାସିନ୍ଧୁ ଦାସ, ସସ୍ମିତା ମିଶ୍ର, କାର୍ତ୍ତିକ ମଣ୍ଡଳ, ବଳରାମ ସାହୁ, ମୁକ୍ତାର ଖାଁ, ବସନ୍ତ ପଲେଇ, ନେତ୍ରାନନ୍ଦ କର ଆଦି ଦାୟଦମାନେ ଯୋଗ ଦେଇଥିଲେ । ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଦେଇଥିଲେ ।