ମହାଦାନୀଙ୍କ ଶ୍ରେଷ୍ଠଦାନ

ମହାଭାରତର ଅନ୍ୟତମ ଶ୍ରେଷ୍ଠ ଯୋଦ୍ଧା; ମହାଦାନୀ ଭାବରେ ସୁପରିଚିତ କର୍ଣ୍ଣଙ୍କ ବାଲ୍ୟାବସ୍ଥାର ନାମ ଥିଲା ବସୁଷେଣ । ଦିବ୍ୟକବଚ ଓ କୁଣ୍ଡଳ ଥିଲା ଜନ୍ମଜାତ । କୁଣ୍ଡଳ ଓ କବଚ ହେତୁ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିବା କଠିନ ଥିଲା । କହିବା ବାହୁଲ୍ୟ ଯେ କର୍ଣ୍ଣ ଥିଲେ ଅର୍ଜୁନଙ୍କ ଭଳି ଅଜେୟ ଯୋଦ୍ଧା । କର୍ଣ୍ଣଙ୍କ ଭଳି ମୃତ୍ୟୁଞ୍ଜୟୀ ଯୋଦ୍ଧା କୌରବଙ୍କ ସପକ୍ଷରେ ଥିବାରୁ ପାଣ୍ଡବମାନଙ୍କର ଚିନ୍ତା ବଢ଼ି ଯାଇଥିଲା । ଧର୍ମରାଜ ଯୁଧିଷ୍ଠିର ଇନ୍ଦ୍ରଙ୍କୁ ଆପଣା ଚିନ୍ତା ସମ୍ପର୍କରେ ଜଣାଇଲେ । ଇନ୍ଦ୍ର ଆଶ୍ୱାସନା ଦେଇ ନିଶ୍ଚିତ ରହିବାକୁ ଉପଦେଶ ଦେଲେ ।ମହାଯୁଦ୍ଧ ଅବଶ୍ୟମ୍ଭାବୀ ହୋଇ ପଡ଼ିଥିଲା । ଯୁଦ୍ଧର ଆୟୋଜନ ଚାଲିଥାଏ । ଆସନ୍ନ ଯୁଦ୍ଧର ପରିଣାମ ସମ୍ପର୍କରେ ଅନେକ ବେଳଯାଏ ଭାବିଭାବି ଶୋଇପଡ଼ିଥାନ୍ତି କର୍ଣ୍ଣ । ହଠାତ୍‍ ରାତିରେ ଏକ ସ୍ୱପ୍ନ ଦେଖିଲେ- ଜଣେ ତେଜୋଦୀପ୍ତ ବ୍ରାହ୍ମଣ ତାଙ୍କ ସମ୍ମୁଖରେ ଉଭା ହୋଇ କହୁଛନ୍ତି “ବସୁଷେଣ! ମୁଁ ତୁମଠାରୁ ଏକ ସତ୍ୟବଚନ ଚାହୁଁଛି । ତୁମେ ମୋତେ କଥା ଦିଅ, ଯଦି କୌଣସି ବ୍ରାହ୍ମଣ ତୁମକୁ କବଚକୁଣ୍ଡଳ ମାଗନ୍ତି ତା’ହେଲେ ତାଙ୍କୁ ମନା କରିଦେବ ।’ ଶ୍ରେଷ୍ଠଦାନୀ କର୍ଣ୍ଣଙ୍କ ଉତ୍ତର ଥିଲା- “କାହିଁକି? ଯାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ଏବେ ତାହା ସମ୍ଭବ ହେବ କିପରି? ଜଣେ ବ୍ରାହ୍ମଣ ମୋତେ ଦାନ ମାଗିବେ, ଆଉ ମୁଁ ତାହା, ଅସ୍ୱୀକାର କରିବି? ନା, ଏହା କେବେ ସମ୍ଭବ ନୁହେଁ, ପ୍ରାଣ ଚାଲିଗଲେ ମଧ୍ୟ ।’ ସ୍ୱପ୍ନରେ ବ୍ରାହ୍ମଣ କହିଲେ- “ପୁତ୍ର! ମୁଁ ତୁମର ପିତା ସୂର୍ଯ୍ୟଦେବ । ଦେବରାଜ ଇନ୍ଦ୍ର ପାଣ୍ଡବମାନଙ୍କର ସୁରକ୍ଷା ନିମନ୍ତେ ଛଦ୍ମବେଶ ଧାରଣ କରି ତୁମ ନିକଟକୁ ଆସିବେ । କବଚକୁଣ୍ଡଳ ନେଇ ତୁମକୁ ସମ୍ପୂର୍ଣ୍ଣ ଶକ୍ତିହୀନ କରିବାକୁ ଚାହୁଁଛନ୍ତି, ମୋର କଥା ମାନ ବସୁଷେଣ ।’ ନମ୍ରତା ସହକାରେ କର୍ଣ୍ଣ କହିଲେ- “ଆପଣ ମୋର ପିତା ବୋଲି ପରିଚୟ ଦେଉଛନ୍ତି, ତେଣୁ ପୂଜ୍ୟ ଓ ବନ୍ଦନୀୟ । ମୁଁ ଆପଣଙ୍କୁ ଶତବାର ପ୍ରଣାମ କରୁଛି । ଇନ୍ଦ୍ର ହୁଅନ୍ତୁ ଅଥବା ଯେ କେହି ଆସନ୍ତୁ ମୋ ନିକଟକୁ କେହି ମାଗିବା ଉଦ୍ଦେଶ୍ୟରେ ଆସିଲେ ପ୍ରାଣଭୟରେ ତାଙ୍କୁ ନିରାଶ କରିବା, ଦାନ ଦେବାକୁ କୁଣ୍ଠିତ ହେବା ଭଳି ନିନ୍ଦନୀୟ କାର୍ଯ୍ୟ ମୁଁ କରିପାରିବି ନାହିଁ କେବେ । ଏହା କଲେ ମୋର ନାମରେ କଳଙ୍କ ଲାଗିଯିବ । ପୁତ୍ରର ଏହି ସତ୍ୟନିଷ୍ଠା ନିକଟରେ ହାର ମାନିଥିଲେ ସୂର୍ଯ୍ୟଦେବ । ସୂର୍ଯ୍ୟଦେବ ଅଦୃଶ୍ୟ ହୋଇଗଲେ । ଠିକ୍‍ ଏହାର ପରଦିନ । ସୂର୍ଯ୍ୟଦେବ ଅସ୍ତାଚଳଗାମୀ ହେଉଥାନ୍ତି । ହଠାତ୍‍ କାନରେ ବାଜିଲା- “ଭିକ୍ଷାଂ ଦେହି, ଭବତ୍‍ ଭିକ୍ଷାଂ ଦେହି’, ମୁହଁ ଫେରାଇ ଚାହିଁଲେ କର୍ଣ୍ଣ, ଜଣେ ଅତି ଦୀନ ଅଥଚ ସୁଦର୍ଶନ ବ୍ରାହ୍ମଣ ଦଣ୍ଡାୟମାନ ଥିଲେ ସମ୍ମୁଖରେ । କର୍ଣ୍ଣଙ୍କ ଆତିଥ୍ୟ ସ୍ୱୀକାର କରି କହିଥିଲେ- “କିଛି ମାଗିବାକୁ ଆସିଛି । ଯଦି ସତ୍ୟ କରିବ ତା’ ହେଲେ ଅବଶ୍ୟ ମାଗିବି ।’ କର୍ଣ୍ଣଙ୍କ ଉତ୍ତର ଥିଲା- “ବସୁଷେଣ ଜୀବନରେ କୌଣସି ଭିକ୍ଷୁଙ୍କୁ ନିରାଶ କରିନାହିଁ । ଆପଣ ଯାହା ଇଚ୍ଛା ମାଗିପାରନ୍ତି ।’ ବେଶ କୌଶଳରେ ବ୍ରାହ୍ମଣ କର୍ଣ୍ଣଙ୍କୁ ଏଭଳି ଦାନ ମାଗିଥିଲେ ଯାହା ଥିଲା ଜଣେ ବୀରର ଶ୍ରେଷ୍ଠ ଭୂଷଣ, ଜଣେ ଦୁର୍ଜୟ ଯୋଦ୍ଧାଙ୍କୁ ପ୍ରତିହତ କରିବାପାଇଁ ପର୍ଯ୍ୟାପ୍ତ-ଶରୀରରେ ଥିବା କବଚ ଓ କୁଣ୍ଡଳ । ତରବାରୀ ସାହାଯ୍ୟରେ ନିଜ ଶରୀର କ୍ଷତାକ୍ତ କରି କବଚ ଓ କୁଣ୍ଡଳ ଦେଇଥିଲେ ବ୍ରାହ୍ମଣଙ୍କୁ । ତିଳେହେଲେ ଶୋଚନା ନ ଥିଲା । ଜନ୍ମଜାତ କବଚକୁଣ୍ଡଳକୁ ଦେଇ ଏକପ୍ରକାର ଭାରମୁକ୍ତ ହୋଇଯାଇଥିଲେ କର୍ଣ୍ଣ । କାରଣ ପିତୃତ୍ୱକୁ ଅସ୍ୱୀକାର କରି ଅନିଶ୍ଚୟତା, ଲାଞ୍ଛନାର ଗହ୍ୱରକୁ ଠେଲି ଦେଇଥିବା ପିତାଙ୍କର ଦାନ ଏକପ୍ରକାର ଭାର ହୋଇଯାଇଥଲା ତାଙ୍କ ପକ୍ଷରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ