ମହାଦୁର୍ନୀତିର ମାୟାଜାଲରେ ଓଡିଶା ମାଧ୍ୟମିକ ଶିକ୍ଷାଯୋଜନା
I ୩ ।
ପ୍ରକାଶ ଥାଉକି କୋଟିକୋଟି ଟଙ୍କାର ଏହି ମାଧ୍ୟମିକ ଶିକ୍ଷାଯୋଜନାକୁ ଜନସାଧାରଣଙ୍କ ଗୋଚରକୁ ନଆଣି ଯଥାସାଧ୍ୟ ଗୁପ୍ତ ରଖାଯାଇଛି । ଏପରି ସନ୍ଦେହର ପ୍ରଥମ କାରଣ ହେଉଛି, ଯେପରି ତରବରିଆ ଭାବରେ ଦୁଇଦୁଇଟି ତ୍ରୁଟିପୂର୍ଣ୍ଣ ପୁସ୍ତକ ତାଲିକା ସରକାରୀ ମୋହର ମାରି ଚଳାଇଦିଆଯିବାର ମସୁଧା ଚାଲିଛି – ତାହା ଅନ୍ୟକୌଣସି ରାଜ୍ୟର ପ୍ରଶାସନିକ ମହଲରେ ସଚରାଚର ଘଟେନାହିଁ । ଏଥିନିମନ୍ତେ ଯଥେଷ୍ଟ ପୂର୍ବରୁ ଖବରକାଗଜଗୁଡିକରେ ବିଜ୍ଞପ୍ତି ପ୍ରକାଶ କରାଇବାର ଥିଲା – ଯାହା ଆଶ୍ଚର୍ଯ୍ୟଜନକ ଭାବରେ କୌଣସି ‘ବିଶେଷ କାରଣ’ ଯୋଗୁଁ କରାଯାଇନାହିଁ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ ଏପ୍ରକାର ହେଳା/ଅବହେଳା/ଅଣହେଳା ‘ସଯତ୍ନବିନ୍ୟସ୍ତ-ଅବିନ୍ୟସ୍ତ-କୁନ୍ତଳ’ କାଇଦାର ଏକ ବ୍ୟତିକ୍ରମ ପରି ଆମର ହୃଦ୍ବୋଧ ହେଉଛି । ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ଯୋଗାଣ ଏକ ବୃହତ୍ତର ଲକ୍ଷ୍ୟଭିତ୍ତିକ ପଂଚବାର୍ଷିକ ଯୋଜନାର ଅଂଶ ହୋଇଥିଲେହେଁ ଚଳିତ ପ୍ରଥମ ଆର୍ଥିକ ବର୍ଷ (୨୦୧୮-୧୯)ରୁ ହିଁ ତାହାକୁ ଗୋଟିଏ କ୍ଷୁଦ୍ରତର ପୁସ୍ତକ ବ୍ୟବସାୟ ଗୋଷ୍ଠୀର ଫାଇଦା ପାଇଁ ଜାଣିଶୁଣି ପଲା ଉପରେ ଥୋଇଦିଆଯାଇଛି ମାତ୍ର! ଓଡିଶାର ବିଭିନ୍ନ ଜିଲ୍ଲାରେ ସକ୍ରିୟ ପ୍ରକାଶନ ସଂସ୍ଥାର କାର୍ଯ୍ୟକର୍ତାମାନଙ୍କୁ ଖବରକାଗଜ ବିଜ୍ଞପ୍ତି ଘୋଷଣା ଜରିଆରେ ଅବଗତ କରାଯାଇ ମନୋନୟନ ନିମନ୍ତେ ନମୁନା ପୁସ୍ତକମାନ ସେମାନଙ୍କ ଠାରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମଗାଇବା ଉଚିତ୍ ନଥିଲା କି? କିନ୍ତୁ ଏହି ସୁସ୍ଥ ପରମ୍ପରାକୁ ପଦାଘାତ କରି ସଂପୃକ୍ତ ପଦାଧିକାରୀ ଚକ୍ର କଲେ କ’ଣ? କଲେ ନକରିବା କର୍ମ । କର୍ମ ତ ନୁହେଁ, ସତ କହିବାକୁ ଗଲେ ଉପରବାଲାଙ୍କ ଧର୍ମ ଆଉ ତଳବାଲାଙ୍କ ଆଇନ୍କୁ ଆଖିଠାର ମାରୁଥିବା ଅଶୋଭନୀୟ ଅପକର୍ମ!
ଦ୍ୱିତୀୟ ପୁସ୍ତକ ତାଲିକା ପ୍ରସ୍ତୁତି କଲାବେଳେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ତାଙ୍କ ତା-୨୯/୧୧/୧୮ରିଖ ଚିଠି (ଜ୍ଞାପକ ସଂଖ୍ୟା ୧୧୧୦, ୧୧୧୧, ୧୧୧୨)ରେ ଯାହା ‘ସୂଚନା’ ଦେଇଛନ୍ତି, ତାହା ଯେତିକି ବିସ୍ମୟୋଦ୍ଦୀପକ, ସେତିକି କ୍ଷୋଭଜନକ । କୋଟିକୋଟି ଟଙ୍କାର ସରକାରୀ ଯୋଜନାର ବୃହତ୍ତର ଆଭିମୁଖ୍ୟ ପ୍ରତି ଉଚ୍ଚ ପଦାଧିକାରୀମାନେ କିପରି ଅତ୍ୟନ୍ତ ଲଘୁ ମନୋଭାବ ପ୍ରଦର୍ଶନ ପୂର୍ବକ ସରକାରଙ୍କୁ ପଛପଟୁ ଛୁରୀ ମାରିଚାଲିଛନ୍ତି, ତାହା ଏହି ‘ସୂଚନା’ରୁ ସ୍ପଷ୍ଟ । ଓଡିଶା ସାହିତ୍ୟ ଏକାଡେମୀ ସଚିବ ତାଙ୍କ ୧୧୧୦ନଂ ଜ୍ଞାପକରେ ସୂଚନା ଦେଇଛନ୍ତି – “ପ୍ରମୁଖ ଶାସନ ସଚିବ, ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଆଦେଶ ଅନୁଯାୟୀ ବିଭିନ୍ନ ପ୍ରକାଶନ ସଂସ୍ଥା ତଥା ପ୍ରକାଶକ ସଂଘ ଦ୍ୱାରା ପ୍ରଦତ୍ତ ପୁସ୍ତକ ତାଲିକା ମଧ୍ୟରୁ ୧୯୦ ଖଣ୍ଡ ପୁସ୍ତକର ଏକ ତାଲିକା ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଥିସହିତ ପ୍ରଦାନ କରୁଅଛି ।”
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଓଡିଶାର ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ଯୋଗାଣ’ ସଂପର୍କରେ ଖବରକାଗଜରେ ଆଦୌ କୌଣସି ବିଜ୍ଞପ୍ତି ପ୍ରଦାନ କରିନଥିବା ସ୍ଥଳେ ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଅବୈଧାନିକ ଭାବରେ କିପରି ତଥାକଥିତ ‘ପ୍ରକାଶକ ସଂଘ’ ଦ୍ୱାରା ପ୍ରଦତ୍ତ ପୁସ୍ତକ ତାଲିକା ମଧ୍ୟରୁ ୧୯୦ ଖଣ୍ଡ ପୁସ୍ତକସମ୍ବଳିତ ଏହି ଦ୍ୱିତୀୟ ତାଲିକା ପ୍ରସ୍ତୁତ କରିବାକୁ ସଚିବଙ୍କୁ ‘ଆଦେଶ’ ଦେଇପାରିଲେ? ସ୍ପଷ୍ଟ ଜଣାପଡିଯାଉଛି ଯେ – ଗଣମାଧ୍ୟମରେ ବିଜ୍ଞାପିତ ନକରି ମଧ୍ୟ ‘ବିଭିନ୍ନ ପ୍ରକାଶନ ସଂସ୍ଥା’ ସହ ପୁସ୍ତକ ଯୋଗଣ ବାବଦରେ ଭିତିରି ଯୋଗାଯୋଗ ବିଭାଗୀୟ ସ୍ତରରୁ ରକ୍ଷା କରାଯାଇଆସୁଛି – ଯାହା କେବଳ ସ୍ୱତଃ ସନ୍ଦେହଜନକ ନୁହେଁ, ଏକାନ୍ତ ଆପତ୍ତିଜନକ ମଧ୍ୟ । ଯାହାକୁ ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ଦ୍ୱାରା ‘ପ୍ରକାଶକ ସଂଘ’ ବୋଲି ସୂଚନାପତ୍ରରେ ଦର୍ଶାଯାଇଛି, ତାହା କେବଳ ଅଳ୍ପ କେତେକ ପୁସ୍ତକ ବ୍ୟବସାୟୀଙ୍କର ଆତ୍ମପ୍ରଚାରିତ ଖଣ୍ଡେ ସାଇନ୍ବୋର୍ଡ ମାତ୍ର! ସାରା ରାଜ୍ୟର ୩୦ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୮୩୬୫ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ଏହି ତଥାକଥିତ ‘ସଂଘ’ କ’ଣ ଏକମାତ୍ର ଏକଚାଟିଆ ଅଧିକାରପ୍ରାପ୍ତ ପୁସ୍ତକ ଯୋଗାଣକାରୀ ସଂସ୍ଥା, ଯାହାର ଠିକଣା ହେଉଛି କଟକ ସହରର ଗୋଟାଏ ସରୁଗଳି, ଯେଉଁଠି ୪/୫ଜଣ ବି ଏକାଠି ଚାଲିବା କାଠିକର ପାଠ?
ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ପର୍ଯ୍ୟନ୍ତ କେହି ମଧ୍ୟ ସରକାରୀ ଯୋଜନାର କାନୁନୀ ନିୟମ ଦୃଷ୍ଟିରୁ ଏପରି କରିପାରିବେ ନାହିଁ । କାରଣ ନିର୍ଦ୍ଦିଷ୍ଟ ପ୍ରକାଶକ ସଂଘ ପ୍ରଦତ୍ତ କୌଣସି ପୁସ୍ତକ ତାଲିକାକୁ ‘ବିଭିନ୍ନ ପ୍ରକାଶନ ସଂସ୍ଥା’ର ପୁସ୍ତକସୂଚୀ ରୂପେ ଚିହ୍ନଟ କରାଇ ତାହାକୁ ‘ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ତାଲିକା’ର ଚୂଡାନ୍ତ ରୂପରେଖ ଦେବା ଦ୍ୱାରା ଆଗକୁ କେବଳ ଜନସ୍ୱାର୍ଥ ମାମଲା ଦାୟର ହେବନାହିଁ, ଆଗାମୀ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିବାର ଉତ୍କଟ ପରିସ୍ଥିତି ମଧ୍ୟ ସୃଷ୍ଟି ହେବ – ବୁଦ୍ଧିଜୀବୀ ମହଲର ଏପରି ଅନୁମାନ ଅମୂଳକ ନୁହେଁ । ଏପରିକି ଭିଜିଲାନ୍ସ୍ / ସିବିଆଇରୁ ଆରମ୍ଭକରି ବିଶେଷ ତଦନ୍ତ କମିଶନଙ୍କ ଜେରା ଆଗରେ ସଂପୃକ୍ତ ପଦାଧିକାରୀମାନଙ୍କୁ କୋଟିକୋଟି ଟଙ୍କାର ଶିକ୍ଷାଯୋଜନାଭୁକ୍ତ ଏପ୍ରକାର ଅନିୟମିତତାରେ ପରିପୂର୍ଣ୍ଣ ଅଘଟଣ ଯେ ଆସନ୍ତାକାଲି ଅସହାୟ ଅବସ୍ଥାରେ ଛିଡା କରାଇଦେବ – ଏହି ଆଶଙ୍କାକୁ ମଧ୍ୟ ଏବଠୁ ଏଡାଇ ଦେଇହେଉନାହିଁ ।
ପରିଶେରେ ପ୍ରଶ୍ନ ଉଠାଇବାର ଅଛି ଯେ ୧୮ କୋଟିରୁ ଊଦ୍ଧ୍ୱର୍ ଏହି ମାଧ୍ୟମିକ ଶିକ୍ଷାଯୋଜନା ଅନ୍ତର୍ଭୁକ୍ତ ୮୩୬୫ ଗୋଟି ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ସେପରି କୌଣସି ନିର୍ଦ୍ଧାରିତ ପୁସ୍ତକ ତାଲିକାର ପ୍ରସାରଣ ପ୍ରକୃତରେ ପ୍ରୟୋଜନ ଥିଲା କି? ଏ ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି – ‘ତାଲିକା’ ଏପରି ଏକ ଲକ୍ଷ୍ମଣରେଖା, ଯାହା କୌଣସି କୁଟିଳଚକ୍ର ଦ୍ୱାରା ଟଣାଯାଇ ବୃହତ୍ତର ଲକ୍ଷ୍ୟକୁ କେବଳ ଗୋଟିଏ କ୍ଷୁଦ୍ରତର ଉଦ୍ଦେଶ୍ୟର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ହିଁ ସୀମିତ କରିରଖିବାର ଅସତ୍ ଉଦ୍ୟମକୁ ପ୍ରଶ୍ରୟ ଦେଇଥାଏ । ଗଣତନ୍ତ୍ରର ମୋହରକୁ ମୁଖାକରି କେବଳ ଜଣଜଣଙ୍କର ଏକଚାଟିଆ ଉପାର୍ଜନର ଉପାୟକୁ ହିଁ ଅଗ୍ରାଧିକାର ପ୍ରଦାନ କରିଥାଏ ! ନହେଲେ ଏଇ କିଛିଦିନ ଆଗରୁ ଯେତେବେଳେ ବହୁ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ପ୍ରକାଶକ ଓଡିଶା ସାହିତ୍ୟ ଏକାଡେମୀକୁ ଯାଇ ଏକ ତୃତୀୟ ତାଲିକା ତିଆରି କରିବାର ଦାବୀ ଉଠାଇଲେ, ସେତେବେଳେ ସଚିବ କାହିଁକି ସେମାନଙ୍କୁ ଉତ୍ତର ଦେଲେ ଯେ – ‘ନା, ଆଉ କୌଣସି ତାଲିକା ହୋଇପାରିବନାହିଁ ବୋଲି ସେକ୍ରେଟାରୀ କହିଛନ୍ତି?’ ଜଣେ ପ୍ରକାଶକ ଏପରି ଏକପାଖିଆ ଉତ୍ତର ଶୁଣି ସେକ୍ରେଟାରୀ ଏହା ଲିଖିତ ଭାବରେ ନା ମୌଖିକ ଭାବରେ କହିଛନ୍ତି ବୋଲି ପ୍ରଶ୍ନ ପଚାରିବାରୁ ସଚିବ ନିରୁତ୍ତର ରହିଲେ ।
ଏଥିରୁ ଯାହା ସାବ୍ୟସ୍ତ ହେବାକୁ ଯାଉଛି – ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ, ଏପରିକି ଓ.ସା.ଏ. ସଚିବ – ସମସ୍ତେ ସରକାରଙ୍କ ଲୁଣ ଖାଇ କତିପୟ ବ୍ୟବସାୟିକ ସ୍ୱାର୍ଥାନ୍ଧ ପ୍ରକାଶକଙ୍କ ଗୁଣ ଗାଇବାରେ ନିର୍ଲଜ୍ଜତାର ନିନ୍ଦନୀୟ ଓ ନିଷିଦ୍ଧ ସୀମାରେଖା ମଧ୍ୟ ଅତିକ୍ରମ କରିସାରିଛନ୍ତି । ଆଳୁ ବିଶେଷଜ୍ଞଙ୍କ ଠାରୁ ସାରୁଚାଷ ସମ୍ବନ୍ଧୀୟ ପରାମର୍ଶ ମାଗିଲା ପରି ଏମାନଙ୍କ ଉପରେ ୮୩୬୫ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ଚୟନଭାର କିପରି ଏବଂ କାହିଁକି ଦିଆଗଲା? ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ମଧ୍ୟ ଓଡିଆ ଭାଷା-ସାହିତ୍ୟ-ସଂସ୍କୃତିର ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ବାବଦରେ ସେପରି ଦାୟବଦ୍ଧ ଭାବରେ ନିଷ୍ଠାବାନ ଥିବେ କି ନଥିବେ ସନ୍ଦେହ ।
ଶେଷରେ ସରକାରଙ୍କୁ ଓ ସାରା ରାଜ୍ୟର ବିଧାୟକବର୍ଗଙ୍କୁ ମୋର ବିନୀତ ନିବେଦନ ଯେ – ହଜାରହଜାର ମାଧ୍ୟମିକ ବିଦ୍ୟାଳୟ ପାଠାଗାରର ଜ୍ଞାନପିପାସାକୁ ମାତ୍ର ଗୋଟିଏ/ଦୁଇଟି ବାଧ୍ୟତାମୂଳକ ତାଲିକାରେ ବାନ୍ଧି ରଖାଯିବାର କୂଟଚକ୍ରାନ୍ତ ବାବଦରେ ସେମାନେ ପ୍ରଶ୍ନ ଉଠାନ୍ତୁ । ଏପ୍ରକାର ପ୍ରଶାସନିକ ପ୍ରବଞ୍ଚନାର ପୁଙ୍ଖାନୁପୁଙ୍ଖ ପୁନର୍ବିଚାର କରନ୍ତୁ, ସେଥିସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ମଧ୍ୟ ବାଟ ଫିଟାନ୍ତୁ । ବିଶେଷକରି ସଂକୀର୍ଣ୍ଣ ଉଦ୍ଦେଶ୍ୟପ୍ରଣୋଦିତ ପୂର୍ବୋକ୍ତ ଦୁଇଟିଯାକ ତାଲିକାକୁ ସରକାର ତୁରନ୍ତ ବାତିଲ୍ କରାଇବାର ଆଦେଶ ପ୍ରଦାନ କରନ୍ତୁ ।
ବହିକିଣା ଓ ପାଠାଗାରର ଶ୍ରୀବୃଦ୍ଧିସାଧନ କ୍ଷେତ୍ରରେ ବାଧ୍ୟତାମୂଳକ କୌଣସି କୃତ୍ରିମ ବଜାର ସୃ୍ଷ୍ଟି କରାଇବାର ନକାରାତ୍ମକ ଧାରାକୁ ଯଥାଶୀଘ୍ର ରଦ୍ଦ କରାଯାଇ ଏକ ସ୍ୱଚ୍ଛ, ସ୍ୱଚ୍ଛନ୍ଦ ଓ ସକାରାତ୍ମକ ଖୋଲାବଜାରର ବାତାବରଣ ସୃଷ୍ଟି ପ୍ରତି ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉ । ବିଦ୍ୟାଳୟ-ପାଠାଗାରଗୁଡିକର ପସନ୍ଦ/ଅପସନ୍ଦ ନିର୍ବିଶେଷରେ କତିପୟ କୁଟିଳ ପ୍ରଶାସକ ଅଧିକାରୀଙ୍କ ଦ୍ୱାରା ସରକାରୀ ମୋହରମରା ତାଲିକା ତିଆରି କରାଇ ଛାତ୍ର-ଶିକ୍ଷକସମାଜକୁ କେବଳ ନିର୍ଦ୍ଦିଷ୍ଟ କେତୋଟି ବହି ପଢିବାକୁ ବାଧ୍ୟ କରାନଯାଉ । ଏକ ତାଲିକାମୁକ୍ତ ଯୁଗ ଆରମ୍ଭ ହେଲେହେଁ ଯାଇ ପ୍ରକୃତ ପୁସ୍ତକଗୁଡିକ ପାଠାଗାର ପାଇଁ ସ୍ୱାଭାବିକ୍ ପ୍ରବେଶାଧିକାର ପାଇପାରିବେ – ସରକାର ଅନ୍ତତଃ ଏ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଶ୍ୱାସକୁ ଆଣି ଏକ ସୁସ୍ଥ ସମନ୍ୱୟ-କମିଟୀ ଗଠନ ପୂର୍ବକ ମାଧ୍ୟମିକ ଶିକ୍ଷାଯୋଜନାର ମହତ୍ତର ଲକ୍ଷ୍ୟସାଧନ ଦୃଷ୍ଟିରୁ ଏ ତତ୍ତ୍ୱ ଓ ସତ୍ୟ ବୁଝାଇଦିଅନ୍ତୁ । ସର୍ବସାଧାରଣଙ୍କ ଅବଗତି ବାହାରେ କୌଣସି ସରକାରୀ ଯୋଜନାର ଗୋଟିଏ ବି ପଇସା ଯେପରି ଦୁର୍ନୀତିପ୍ରବଣ ପଦାଧିକାରୀଚକ୍ରର ପକେଟ୍କୁ ନଯାଏ – ସେଥିପ୍ରତି ସଚେତନ ନାଗରିକସମାଜ ମଧ୍ୟ ନଜର ରଖିବା ଜରୁରୀ ।
ମାୟାଧର ନାୟକ
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୪୧୬୩