ମହାବଳ ବାଘକୁ ଶିକାର ପାଇଁ ଗଜପତି ଓ ଆନ୍ଧ୍ରର ଜଙ୍ଗଲରେ ବିଚରଣ କରୁଛନ୍ତି ଛଦ୍ମବେଶଧାରୀ ଶିକାରୀ ଦଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁଦୂର ମହାରାଷ୍ଟ୍ରରୁ ଆସିଥିବା ମହାବାଳ ବାଘ ଗଜପତି ଜିଲ୍ଲା ଏବଂ ଆନ୍ଧ୍ରର ପୁରୁଣା ପାଟଣା ମଣ୍ଡଳ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବିଚରଣ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଆସୁଛି. ମହାବଳ ବାଘଟି ଅତ୍ୟନ୍ତ ମୂଲ୍ୟବାନ ଅଟେ. ଦେଶ ବିଦେଶରେ ଏହାର ଯଥେଷ୍ଟ ଚାହିଦା ରହିଛି. ତେଣୁ ଏଭଳି ବହୁ ମୂଲ୍ୟବାନ ମହାବଳ ବାଘର ସୂଚନା ବିଭିନ୍ନ ଗଣମାଧ୍ୟମରୁ ପାଇବା ପରେ କେତେକ ଶିକାରୀ ଦଳ ଗଜପତି ଜିଲ୍ଲା ଓ ଆନ୍ଧ୍ରର ଜଙ୍ଗଲରେ ଛଦ୍ମବେଶରେ ମହାବଳ ବାଘର ଅନେଶ୍ଵଣରେ ବିଚରଣ କରୁଥିବା ଜଙ୍ଗଲ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମାଞ୍ଚଳର ଲୋକମାନେ ସୂଚନା ପ୍ରଦାନ କରି କହିଛନ୍ତି ଗତ ୨ ଦିନ ତଳେ କିଛି ନୂତନ ଓ ଅଜ୍ଞାତ ବ୍ୟକ୍ତି ଦଳ ଦଳ ହୋଇ ଭିନ୍ନ ଭିନ୍ନ ଭାବେ ଜଙ୍ଗଲରେ ବିଚରଣ କରୁଛନ୍ତି. ସ୍ଥାନୀୟ ଅଞ୍ଚଳର ବନ ବିଭାଗର କର୍ମଚାରୀମାନଙ୍କୁ ଆମେ ଜାଣିଛୁ ଓ ଚିହିଁ ପାରୁଛୁ. ବର୍ତ୍ତମାନ ବିଚରଣ କରୁଥିବା ଏହି ଲୋକମାନଙ୍କୁ ପୂର୍ବରୁ କେବେ ଦେଖିନାହୁଁ. ତେଣୁ ଏମାନେ ମହାବଳ ବାଘକୁ ଶିକାର କରିବାକୁ ଛଦ୍ମବେଶରେ ଆସିଥିବା ଶିକାରୀ ଦଳ ବୋଲି ଅନୁମାନ କରୁଛୁ ବୋଲି ଅଞ୍ଚଳବାସୀ ଜଣାଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ସନ୍ତୋଷପୁର ଗ୍ରାମରେ ମାସକ ତଳେ ମହାବଳ ବାଘଟି ଗୋଟିଏ ଗାଇକୁ ଘୋଷାଡ଼ି ନେଇ ଜଙ୍ଗଲ ମଧରେ ଅଧା ଖାଇ ଛାଡି ଚାଲି ଯାଇଥିଲା. ପୁଣି ତା ପରଦିନ ଛାଡି ଯାଇଥିବା ଗାଇକୁ ଖାଇବା ପାଇଁ ଆସିବାବେଳେ ବାଘର ପାଦ ଚିହ୍ନ ଏବଂ ଟ୍ରାପ୍ କ୍ୟାମେରାରେ ଫଟୋ ଉତ୍ତୋଳନ ହୋଇଥିଲା। ଏହାକୁ ଡେରାଡୁନ୍‌ସ୍ଥିତ ୱାଲ୍‌ଡ ଲାଇଭ ଇନ୍‌ଷ୍ଟିଚ୍ୟୁଟ୍‌କୁ ପଠାଯାଇଥିଲା। ଏହା ଦ୍ୱାରା ବାଘଟି ମହାରାଷ୍ଟ୍ରର ବ୍ରହ୍ମପୁରୀର ବୋଲି ସ୍ପଷ୍ଟ ହୋଇଥିଲା. ବାଘର ପାଦ ଚିହ୍ନ ଏବଂ ଦେହରେ ଥିବା କଳା ପଟାକୁ ଅନୁଧ୍ୟାନ କରି ମହାରାଷ୍ଟ୍ର ବାଘ ବୋଲି ଗଜପତିରେ ପହଞ୍ଚିଥିବା ୱାଲ୍‌ଡ ଲାଇଭ ଇନ୍‌ଷ୍ଟିଚ୍ୟୁଟ୍ କହିଥିବା ସୂଚନା ଦେଇଛନ୍ତି. ଗତ ସୋମବାର ଦିନ ରାତିରେ ପୁଣି ଏଇ ବାଘଟି ଗଜପତିର ଅଁଳାବର ଗ୍ରାମର ଏକ ଗାଇକୁ ପୁଣି ଉଠାଇ ନେଇ ଖାଇବା ସହ ଟ୍ରାପ କ୍ୟାମେରାରେ କଏଦ ହୋଇଥିଲା. ଏହି ଘଟଣା ବନ ବିଭାଗ ଓ ଗଜପତିବାସୀଙ୍କ ନିଦ ହଜେଇ ଦେଇଛି। ପରେ ବାଘଟି ଗଜପତିର ଗୋଷାଣୀ ବ୍ଲକ ଦେଇ ଆନ୍ଧ୍ର ପୁରୁଣାପାଟଣା ଅଞ୍ଚଳର ଜଙ୍ଗଲକୁ ଯିବା ଆସିବା କରୁଛି. ତେଣୁ ଉଭୟ ଆନ୍ଧ୍ର- ଓଡ଼ିଶା ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ ଜାରି ରଖି ବାଘ ଗତିବିଧ‌ି ଉପରେ ନଜର ରଖିଛନ୍ତି.। ହଜାର ହଜାର କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ନିହାତି ଆଶ୍ଚର୍ଯ୍ୟଜନକ କଥା। ଏହାମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଛି। ମହାରାଷ୍ଟ୍ରର ବ୍ରହ୍ମ ପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପ୍‌ରେ କଏଦ ବାଘ ଏବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି। ସୁରକ୍ଷିତ ବାସସ୍ଥାନ ଓ ସାଥୀ ସନ୍ଧାନରେ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ମହାବଳ ବାଘଟି ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ବିରଳ ବୋଲି କୁହାଯାଉଛି। ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ଯ ସୂଚନା ମିଳିନି। ମହାବଳ ବାଘ ଉପରେ ନଜର ରଖୁବାକୁ ଗଜପତି ବନ ବିଭାଗ ପକ୍ଷରୁ ପାରଳା ଡିଏଫଓ ଆନନ୍ଦ କୁମାରଙ୍କ ନିର୍ଦେଶରେ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଗାଁ ଗାଁ ବୁଲି ଏହି ଟିମ ଲୋକଙ୍କୁ ସଚେତନ କରାଉଛି। ମହାବଳ ବାଘଟିର ଯେପରି କୌଣସି କ୍ଷତ ବିକ୍ଷତ ନ ହେବ କିମ୍ବା କୌଣସି ଶିକାରୀ ମହାବଳ ବାଘକୁ ଶିକାର କରି ନ ପାରିବ ସେଥିପ୍ରତି ମଧ୍ୟ ଏହି ଟିମ ସତକର୍ତା ଗ୍ରହଣ କରି ସଜାଗ ରହିଥିବା ପାରଳାଖେମୁଣ୍ଡି ଏସିଏଫ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ