ମହାବୀର ସନ୍ନିକଟ ଜଙ୍ଗଲରୁ ଝୁଲନ୍ତା ଶବ ଉଦ୍ଧାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ନିକଟସ୍ଥ ଥାନା ପଛପଟ ମହାବୀର ମନ୍ଦିର ସନ୍ନିକଟ ଜଙ୍ଗଲରୁ ଶୁକ୍ରବାର ପୂର୍ବାହ୍ନ ସମୟରେ କୋଣାର୍କ ଥାନା ପୋଲିସ ଏକ ବ୍ଯକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମପଞ୍ଚାୟତ ପାଇକରାପୁର ଗ୍ରାମର ବାନାମ୍ବର ପାତ୍ର (୬୦)ବର୍ଷ ଗତ ମଂଗଳବାର ଠାରୁ ଘରୁ ଆସି ଆଉ ଫେରି ନ ଥିଲେ। ଏ ନେଇ ପରିବାର ବର୍ଗଙ୍କ ପକ୍ଷରୁ କୋଣାର୍କ ଥାନାରେ ବାନାମ୍ବର ପାତ୍ର ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଆଜି ପୂର୍ବାହ୍ନ ସମୟରେ କୋଣାର୍କ ରାଣୀହାଟ ସାହିର କେତେକ ବ୍ୟକ୍ତି ଜଂଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ଗଛରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖି କୋଣାର୍କ ଥାନା ପୋଲିସକୁ ଖବର ଦେଇଥିଲେ। କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ବ୍ୟକ୍ତି ଗତ ମଂଗଳବାର ନିଖୋଜ ବାନାମ୍ବର ପାତ୍ରଙ୍କର ବୋଲି ଚିହ୍ନଟ କରିଥିଲେ। ଏ ନେଇ ପରିବାର ସଦସ୍ୟଙ୍କୁ କୋଣାର୍କ ପୋଲିସ ଖବର ଦେବା ସହ ପୁରୀରୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। କୋଣାର୍କ ପୋଲିସ ଘଟଣା ସ୍ଥଳରୁ ଝୁଲନ୍ତା ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।