ମହାମାରୀ କରୋନାକୁ ନେଇ ଯୋଡାରେ ପାର୍ବଣ କଟକଣା;ବିନା ଭକ୍ତରେ ପୂଜା ପାଇବେ ମାଆ
ଯୋଡା,(ସମୀର କୁମାର ଦାସ): ମହାମାରୀ କରୋନା ପାଇଁ ଚଳିତବର୍ଷ ଖଣି ସହର ଯୋଡାରେ ପାର୍ବଣ କଟକଣା କରାଯାଇଛି । ବିନା ତୋରଣ ଓ ସାଜସଜ୍ଜାରେ ମଣ୍ଡପରେ ପୂଜା ପାଇବେ ମାଆ । କମିଟିର ୭ ଜଣରୁ ଉର୍ଦ୍ଧ୍ୱ ସଦସ୍ୟ ରହିପାରିବେ ନାହିଁ । ରାବଣ ପୋଡି ମଧ୍ୟ ହେବନାହିଁ । ୪ଫୁଟ ମଧ୍ୟରେ ମୂର୍ତ୍ତୀର ଉଚ୍ଚତା ରହିବା ସଙ୍ଗେ ସଙ୍ଗେ ଭକ୍ତମାନେ ମଧ୍ୟ ଦର୍ଶନ କରିପାରିବେ ନାହିଁ ବୋଲି ସୋମବାର ଯୋଡା ପୌରପରିଷଦ କାର୍ଯ୍ୟାଳୟ ସଭାଗୃହରେ ବିଭିନ୍ନ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ପ୍ରଶାସନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୪୭୦୧/୧୬/୧୦/୨୦୨୦ ଅନୁସାରେ ଚଳିତ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ନିମନ୍ତେ ଯୋଡା ପୌରାଞ୍ଚଳ ସମେତ ବିଲେଇପଦା ପୂଜାପେଣ୍ଡାଲର କର୍ମକର୍ତ୍ତା ମାନଙ୍କୁ ନେଇ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଯୋଡା ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ,ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଉପସ୍ଥିତ ରହିଥିଲେ । ସହରାଞ୍ଚଳ ନିର୍ବାହୀ ଅଧିକାରୀଙ୍କ ଠାରୁ ଅନୁମତି ନେଇ କୋଭିଡ-୧୯ ନିୟମ ମାନି ଚଳିବା ଉପରେ ମତପ୍ରକାଶ ପାଇଥିଲା । ଉକ୍ତ ପୂଜା ପେଣ୍ଡାଲ କୌଣସି ଦର୍ଶନାର୍ଥୀଙ୍କ ଦର୍ଶନ ନିମନ୍ତେ ଅନୁମତି ନଦିଆଯିବା ସଙ୍ଗେ ସଙ୍ଗେ ଏଥିରେ କୌଣସି ମାଇକର ପ୍ରଚଳନ,ସାଂସ୍କୃତିକ କାର୍ଯ୍ୟକ୍ରମ,ରାବଣ ପୋଡି ମହୋତ୍ସବ କିମ୍ବା ବାଣଫୁଟା ଇତ୍ୟାଦି କାର୍ଯ୍ୟକ୍ରମକୁ ନିଷିଦ୍ଧ କରାଯାଇଛି । ମୂର୍ତ୍ତୀର ଉଚ୍ଚତା ୪ ଫୁଟରୁ କମ ରହିବା ସଙ୍ଗେ ସଙ୍ଗେ କୌଣସି ଦର୍ଶନ ବ୍ୟବସ୍ଥା ରହିବନାହିଁ । ଏଥିସହ କୋଭିଡ କଟକଣା ନିୟମକୁ ସମସ୍ତେ ପାଳନ କରିବାକୁ ଅନୁରୋଧ କରାଯାଇଥିଲା । ସର୍ବପରି ଭସାଣୀ ଉତ୍ସବ ମଧ୍ୟ ଡ୍ରାଇଭରକୁ ଛାଡି ସର୍ବମୋଟ ୪ ଜଣ ପୌର ପରିଷଦ ଦ୍ୱାରା ନିର୍ଦ୍ଧାରିତ ପୋଖରୀରେ ଭସାଣୀ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ପାର୍ବଣ କଟକଣା ସମ୍ପର୍କରେ ଯୋଡା ଆଇଆଇସି ଶ୍ରୀ ମୁର୍ମୁ କମିଟି ସଦସ୍ୟ ମାନଙ୍କୁ ଉପରୋକ୍ତ ସୂଚନା ଦେଇଥିଲେ । ସମ୍ପୂର୍ଣ୍ଣ ନିରାଡମ୍ବର ମଧ୍ୟରେ ପୂଜା କରିବାକୁ ନିଷ୍ପତ୍ତି ହୋଇଥିଲା । ଯୋଡାର ୪ଟି, ବିଲେଇପଦାର ୨ଟି ପୂଜା କମିଟି ସମେତ ଲକ୍ଷ୍ମୀପୂଜା ଓ କାଳୀପୂଜାର କମିଟି ସଦସ୍ୟ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ କମିଟି ସଦସ୍ୟ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି ।


