ମହାରାଷ୍ଟ୍ର ମହାନାଟକ : ପକ୍ଷ ରଖିଲେ ସଲିସିଟର୍ ଜେନେରାଲ୍, ମଙ୍ଗଳବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ
ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟରେ ମହାରାଷ୍ଟ୍ର ରାଜନୀତି ଶୁଣାଣି ଆରମ୍ଭ ହୋଇଛି । ବିଚାରପତି ଏନ୍. ୱି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଶିବସେନା, ଏନ୍ସିପି ଓ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ପିଟିସନ୍ ଉପରେ ଶୁଣାଣି କରିଛନ୍ତି । ତେବେ ପୁଣି ମଙ୍ଗଳବାର ପର୍ଯ୍ୟନ୍ତ ରାୟକୁ ଘୁଞ୍ଚାଇ ଦିଆଯାଇଛି । ସୁପ୍ରିମ୍ କୋର୍ଟ ମଙ୍ଗଳବାର ସାଢ଼େ ୧୦ଟା ପର୍ଯ୍ୟନ୍ତ ନିଜର ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ସୁପ୍ରିମ୍ କୋର୍ଟ ଏନେଇ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ନୋଟିସ୍ ଜାରି କରିଥିଲେ । ସୋମବାର ଶୁଣାଣି ସମୟରେ ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡ଼ନଭିସ୍ ଦେଇଥିବା ସମର୍ଥନ ପତ୍ର ସୁପ୍ରିମ୍ କୋର୍ଟରେ ଦାଖଲ କରିଥିଲେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା । କୋର୍ଟରେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ପକ୍ଷ ରଖି କହିଥିଲେ ଯେ, ୧୭୦ ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ । ଆମ ପାଖରେ ୧୭୦ ବିଧାୟକଙ୍କ ଦସ୍ତଖତ ଥିବା ଦସ୍ତାବିଜ ରହିଛି । ବିଧାୟକଙ୍କୁ କିଣାବିକା ନେଇ ଆମ ଉପରେ ଅଯଥା ଆରୋପ ଲଗାଯାଉଛି । ଏହା ପରେ ଅଜିତ ପାୱାରଙ୍କ ଓକିଲ ମନିନ୍ଦର ସିଂ କହିଥିଲେ ଯେ, ଏନ୍ସିପି ଦଳ ବିଧାୟକ ଭାବେ ସେ ୫୪ ବିଧାୟକଙ୍କ ପକ୍ଷରୁ ସମର୍ଥନ ପ୍ରଦାନ କରିଥିଲେ । ଏହା ତାଙ୍କ ଅଧିକାରଭୁକ୍ତ । ଶିବସେନା ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ୍ କହୁଥିଲେ ଯେ, ରାଜ୍ୟପାଳ ଏତେ ତରବର ହେବାର କାରଣ କ’ଣ? ସେ କ’ଣ ୨୪ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେ ନାହିଁ? ଏନ୍,ସି.ପି ପକ୍ଷରୁ ଲଢ଼ୁଥିବା ଅଭିଷେକ ମନୁସିଂଘଭୀ କହିଛନ୍ତି ଯେ, ଏନ୍,ସି.ପିର ଯେଉଁ ୫୪ ଜଣ ବିଧାୟକ ଦସ୍ତଖତ କରିଛନ୍ତି, ସେମାନେ କେଉଁଠାରେ ହେଲେ ବିଜେପିକୁ ସମର୍ଥନ କରୁଥିବା ଉଲ୍ଲେଖ କରିନାହାନ୍ତି ।