ମହାରାଷ୍ଟ୍ର ସରକାର ଗଠନ ଅଙ୍କ ଛିଡ଼ିଲା, ସୂତ୍ର ବାହାର କଲେ ଅମିତ ଶାହା

ମୁମ୍ୱାଇ:ଶେଷରେ ମହରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ବିଜେପି ଓ ଏହାର ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି । ବିଜେପିର ଚାଣକ୍ୟ ରୂପେ ଖ୍ୟାତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମାଧାନର ସୂତ୍ର ବାହାର କରିବା ପରେ ଉଭୟ ଦଳ ମଧ୍ୟରେ ବିବାଦର ଅନ୍ତ ଘଟିଛି । ଚୂଡ଼ାନ୍ତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୫୦-୫୦ ଫର୍ମୁଲାରେ ନୁହେଁ; ବରଂ ବିଜେପିର ଫର୍ମୁଲାରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବ । ଆଉ ପୂରା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବିଜେପିର ଦେବେନ୍ଦ୍ର ଫଡ୍‌ନାବିସ୍ । ଗୃହ ଓ ନଗର ଉନ୍ନୟନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ ବିଜେପି ନିକଟରେ । ତେବେ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ହରେଙ୍କ ପୁତ୍ର ଆଦିତ୍ୟ ହେବେ ଫଡ୍‌ନାବିସ୍‌ଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ । ସେହିପରି ଫଡ୍‌ନାବିସ୍‌ଙ୍କ ଗତ ମନ୍ତ୍ରିମଣ୍ଡଳରେ ଶିବସେନାର ୧୨ ଜଣ ମନ୍ତ୍ରୀ ରହିଥିବାବେଳେ ନୂତନ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇବ । ଏଥିସହ କେନ୍ଦ୍ରର ମୋଦୀ-୨ କ୍ୟାବିନେଟରେ ଶିବସେନାକୁ ଆଉ ଗୋଟିଏ ମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରାଯିବ । ସରକାର ଗଠନ ପାଇଁ ଏହି ସମାଧାନର ସୂତ୍ରରେ ଶିବସେନା ରାଜି ହେବା ପରେ ମହାରାଷ୍ଟ୍ରର ନବ ନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ବସି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଜେପି ବିଧାୟକ ଦଳର ନୂତନ ନେତା ରୂପେ ନିର୍ବାଚିତ କରାଯାଇଛି । ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନବ ନିର୍ବାଚିତ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନାବିସ୍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ଜାଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ