ମହିଳାଙ୍କୁ ମାରି ସମୁଦ୍ରରେ ପକାଇବା ଧମକ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତିନି ଅଭିଯୁକ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁରରେ ତିନିଜଣ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସଡ଼ିଜେଏମ୍ ଶ୍ରୀ ପ୍ରୀତିଶ କୁମାର ରଥ ଅଭିଯୁକ୍ତ ହରିପୁର ଗ୍ରାମର ତାରିଣୀ ବେହେରା ଓ ତାଙ୍କ ଦୁଇ ପୁଅ ହେମନ୍ତ କୁମାର ବେହେରା ଓ ପବିତ୍ର ବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୫୦୬ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ପ୍ରୋବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବକ କଠୋର ଚେତାବନୀ ଦେବା ସହ ବ୍ୟକ୍ତିଗତ ଦଶ ହଜାର ଟଙ୍କା ବଣ୍ଡରେ ଛାଡିଛନ୍ତି। ଉକ୍ତ ଧାରା ୪ ଅନୁସାରେ ବର୍ତ୍ତମାନ ସେମାନେ ଜିଲ୍ଲା ପ୍ରୋବେଶନର ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ଓ ଏହି ଅଧିକାରୀ ସେମାନଙ୍କ କାର୍ଯ୍ୟକଳାପକୁ ତୀକ୍ଷ୍ଣ ନଜର ରଖିବା ସହ ରିପୋର୍ଟ ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ ଯେ, ୫ ଡିସେମ୍ବର, ୨୦୨୧ ଦିନ ୨ଟା ସମୟରେ ଯେତେବେଳେ ଅଭିଯୋଗକାରିଣୀ ଶ୍ରୀମତୀ ଅଞ୍ଜନା ବେହେରା ଦୁଇଜଣ ମହିଳାଙ୍କ ସହ ନିଜ ଘର ସମ୍ମୁଖରେ ବସି କଥା ହେଉଥିଲେ, ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ତାରିଣୀ ବେହେରା ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କାହିଁକି ଗାଳି କରୁଛୁ ପଚାରିବାରୁ ସିଏ ଓ ତାଙ୍କ ଦୁଇ ପୁଅ ପବିତ୍ର ବେହେରା ଓ ହେମନ୍ତ ବେହେରା ହାତରେ ଧରିଥିବା କାତି ଓ କୁରାଢ଼ୀରେ ତାଙ୍କୁ ଜୀବନରେ ମାରି ସମୁଦ୍ରରେ ପକାଇଦେବା ନେଇ ଧମକ ଦେଇଥିଲେ। ଏହି ସମୟରେ ଅଭିଯୋଗକାରିଣୀ ଓ ଅନ୍ୟ ମହିଳାମାନେ ପାଟି କରିବାରୁ ସେଠାକୁ ଗାଁ ଲୋକ ଆସିବା ଦେଖି ଅଭିଯୁକ୍ତମାନେ ସେ ସ୍ଥାନ ଛାଡି ପଳାଇଥିଲେ। ପରେ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ଏହି ଘଟଣାକୁ ନେଇ ସେହିଦିନ ରାତି ୭ଟାରେ ଅଭିଯୋଗକାରିଣୀ ଶ୍ରୀମତୀ ଅଞ୍ଜନା ବେହେରା ଚମାଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୨୩୨/୨୦୨୧ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ମାମଲା ବିଚରାଧୀନ ରହିଥିଲା। ସବ ଇନ୍ସପେକ୍ଟର ମାନସୀ ସାହୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବର୍ଷେ ପର୍ଯ୍ୟନ୍ତ ପ୍ରୋବେଶନ ଅଫିସରଙ୍କ ନଜରାଧୀନ ରହିବେ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ