ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟିବା ସହ ଅସଦାଚରଣ ଓ ସ୍ବାମୀଙ୍କୁ ମାଡ ମାରିବା ଅଭିଯୋଗ, ଯୁବକ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବାଲିଆ ଗ୍ରାମର ଜଣେ ବିବାହିତା ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେବା ସହ ଅସଦାଚରଣ କରିବା ଏବଂ ଘଟଣା ନେଇ ମହିଳାଙ୍କ ସ୍ବାମୀ ହସ୍ତକ୍ଷେପ କରିବାରୁ ତାଙ୍କୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି। ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୪/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବାଲିଆ ଗ୍ରାମର ବିକ୍ରମ ପାତ୍ର (୨୮) । ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ଅଭିଯୋଗ ପ୍ରକାରେ, ଶୁକ୍ରବାର ରାତ୍ର ପ୍ରାୟ ୧୦ ଘଣ୍ଟା ସମୟରେ ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବାଲିଆ ଗ୍ରାମର ହେମଲତା ପ୍ରଧାନ ସେହି ଗ୍ରାମର ଜଣେ ସମ୍ପର୍କୀୟଙ୍କ ଭୋଜି ଖାଇ ଘରକୁ ଫେରୁଥିଲେ। ଘର ସମ୍ମୁଖରେ ପହଞ୍ଚିବା ସମୟରେ ସେହି ଗ୍ରାମର ବିକ୍ରମ ହଠାତ୍ ମହିଳାଙ୍କ ନିକଟକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମହିଳା ଜଣଙ୍କ ପିନ୍ଧିଥିବା ସୁନା କାନଫୁଲ ଓ ମୁଦିକୁ ଜୋରଜବରଦସ୍ତ ଛଡାଇ ନେବା ସହ ଅସଦାଚରଣ କରିଥିଲେ। ଘଟଣା ନେଇ ମହିଳା ଜଣଙ୍କ ସ୍ବାମୀ ବଲ୍ଲଭ ପ୍ରଧାନଙ୍କୁ ଫୋନ୍ ଯୋଗେ ଜଣାଇବା ପରେ ବଲ୍ଲଭ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଯୁବକ ଜଣଙ୍କ ଉତ୍ୟକ୍ତ ହୋଇ ତାଙ୍କର ସମ୍ପର୍କୀୟ ୨ ଭାଇ ପିତବାସ ପାତ୍ର ଓ ଧୃବ ପାତ୍ରଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ । ପରେ ୩ ଜଣ ମିଶି ବଲ୍ଲଭଙ୍କୁ ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଆକ୍ରମଣରେ ବଲ୍ଲଭ ଆହତ ହୋଇଥିଲେ। ସାହି ପଡୋଶୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଗଣ୍ଡଗୋଳ ସମୟରେ ସେହି ଗ୍ରାମର ସାଧୁଜୀ ପ୍ରଧାନ ହସ୍ତକ୍ଷେପ କରି ଉଭୟଙ୍କୁ କଳିଗୋଳ ନକରିବାକୁ ବୁଝାସୁଝା କରୁଥିବା ବେଳେ ବିକ୍ରମ ଉତ୍ୟକ୍ତ ହୋଇ ସାଧୁଜୀଙ୍କୁ ମାଡ ମାରି ଆହତ କରିଥିବା ନେଇ ସାଧୁଜୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୩/୨୫ରେ ଆଉ ଏକ ମାମଲା ରୁଜୁ ହୋଇଛି।