ମହିଳାଙ୍କ ସମେତ ପରିବାରକୁ ମରଣାନ୍ତକ ଆକ୍ରମଣ
କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ)-ଜନୈକ ମହିଳାଙ୍କ ସମେତ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ପଞ୍ଜିକରଣ ପରେବି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଭିଯୁକ୍ତଙ୍କ ପକ୍ଷରୁ ପିଡିତ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ସଂପୃକ୍ତ ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବାବାଜି ବେହେରାଙ୍କ ପତ୍ନୀ ମଞ୍ଜୁଲତା ନିକିରାଇ ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ହରିପୁର (ମଠସାହି)ଗ୍ରାମର ଅଜୟ କୁମାର ବେହେରାଙ୍କ ଗରୀବ ପରିବାରଟି ନିକିରାଇ କଲେଜଛକ ନିକଟରେ ଏକ ପରିବା ଦୋକାନ କରି ତାଙ୍କର ୨ଝିଅ ଓ ଗୋଟିଏ ପୁଅ ସହିତ ୫ପ୍ରାଣି କୁଟୁମ୍ବକୁ ଭରଣପୋଷଣ କରିଥାନ୍ତି । ଗତ ୧୫ତାରିଖ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ନିକିରାଇ ଥାନା ଅନ୍ତର୍ଗତ ହରିପୁର (ମଠସାହି)ଗ୍ରାମର ବାବାଜି ବେହେରା ସାଙ୍ଗରେ ଅନ୍ୟ ୮/୧୦ଜଣଙ୍କୁ ଆଣି ନିକିରାଇ କଲେଜଛକ ସ୍ଥିତ ଶ୍ରୀ ବେହେରାଙ୍କ ପରିବା ଦୋକାନ ନିକଟରେ ପହଁଚି ଦୋକାନ ଭିତରେ ଥିବା ପ୍ରାୟ ୩ହଜାର ଟଙ୍କାର ପରିବା ଓ ଫଳ ପ୍ରଭୃତିକୁ ବାହାରକୁ ଫୋପାଡି ଦେବା ସହ ଦୋକାନରେ ଥିବା ୫ହଜାର ଟଙ୍କା ନେଇଯିବା ସହିତ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରି ଅଜୟଙ୍କ ପତ୍ନୀ ମଞ୍ଜୁଲତାଙ୍କ ଲୁଗାକୁ ଟାଣି ବାହାରକୁ ଫୋପାଡି ଦେଇଥିଲେ । ଏଥିସହିତ ତାଙ୍କ ସ୍ୱାମୀ ଏବଂ ୨ଝିଅ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମଞ୍ଜୁଲତା ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ଏତଦଭିନ୍ନ ତାଙ୍କୁ ଧମକ ଦେଇଥିଲେ ଯେ ସେମାନେ ଗ୍ରାମକୁ ଗଲେ କିମ୍ବା ଥାନାରେ ଅଭିଯୋଗ କଲେ ତାଙ୍କ ବଂଶ ନିପାତ କରିଦେବେ । ସେହି ଅଭିଯୋଗ ଉପରେ ନିକିରାଇ ଥାନା ପୋଲିସ ଥାନା କେଶ ନମ୍ବର – ୧୦୩ରେ ଆଇ.ପି.ସି.ର ଦଫା ୨୯୪, ୩୨୩, ୩୫୪, ୩୫୪(ଖ), ୪୨୭, ୪୫୨, ୩୭୯, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବା ମଞ୍ଜୁଲତା ଅଭିଯୋଗ କରିଛନ୍ତି ।