ମହେନ୍ଦ୍ରଗିରି ପାଦଦେଶରେ ଥିବା କେରାଣ୍ଡିମାଳ ପାହାଡ଼ରେ ମହାବଳ ବାଘର ପାଦଚିହ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଥିବା ଓଡିଶାର ହିମାଳୟ ମହେନ୍ଦ୍ରଗିରି ପାଦଦେଶରେ ତଥା ଗଞ୍ଜାମ ଜିଲ୍ଲାର ଚିକିଟି ପରେ ଦିଗପହଣ୍ଡି ବନଖଣ୍ଡ ଅଧୀନସ୍ଥ କେରାଣ୍ଡିମାଳ ପାହାଡ଼ ପାଦଦେଶରେ ମହାବଳ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ମହାବାଘ ଚିକିଟି ବାଳକୁମାରୀ ପାହାଡ଼ ପାର୍ଶ୍ଵ ଜଙ୍ଗଲରୁ ତା’ର ସ୍ଥାନ ପରିବର୍ତ୍ତନ କରି କେରାଣ୍ଡିମାଳ ଜଙ୍ଗଲ ଇଲାକାରେ ପ୍ରବେଶ କରିଛି। ତେଣୁ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଅଞ୍ଚଳବାସୀମାନଙ୍କ ଠାରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି. ଦିଗପହଣ୍ଡି ରେଞ୍ଜ ଅଧୀନସ୍ଥ ଜକର ଓ କରପଡ଼ା ପଞ୍ଚାୟତର ସୀମାନ୍ତ ଇଲାକା ଭଣ୍ଡାରିଶଙ୍ଖ ନାଳରେ ବାଘର ପାଦଚିହ୍ନ ରହିଥିବା ନେଇ କିଛି ଲୋକେ ଦେଖିଥିଲେ | ଫଳରେ ସେମାନେ ବନ ବିଭାଗକୁ ଖବର କରିଥିଲେ । ଦିଗପହଣ୍ଡି ରେଞ୍ଜର୍ ଦିବ୍ୟରଂଜନ ସାହୁଙ୍କ ନେତୃତ୍ବରେ ଏକ ଟି ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଯାଞ୍ଚ ପରେ ତାହା ମହାବାଘର ପାଦଚିହ୍ନ ବୋଲି ଜଣାପଡ଼ିଥିଲା | କେରାଣ୍ଡିମାଳ ପାଦଦେଶରେ ମହାବଳ ବାଘ ବିଚରଣ କରୁଥିବା ଯୋଗୁଁ ଲୋକେ ବାହାରକୁ ବାହାରିବା ନେଇ ଭୟ କରୁଛନ୍ତି. ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବସାଧାରଣରେ ଦାବି ହୋଇଛି.