ମାଆ ବୁଢାକେନ୍ଦୁ ମନ୍ଦିର ଏବଂ ଜୟନ୍ତୀଗଡ଼ ମନ୍ଦିର ଉନ୍ନତୀକରଣ ପାଇଁ ପ୍ରଶାସନ ଜାଗ୍ରତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୀର୍ଘ ଦିନପରେ ପ୍ରଶାସନର ଶୁଭଦୃଷ୍ଟି ପଡିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନିକଟସ୍ଥ ତିନିଶହ ବର୍ଷ ତଳର ଦେବୀ ପୀଠ ମାଆ ବୁଢାକେନ୍ଦୁ ମନ୍ଦିର ଉପରେ I ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସହିତ ବ୍ଳକ୍ ପ୍ରଶାସନ ମନ୍ଦିରର ପରିଦର୍ଶନ କରିବା ସହିତ ମନ୍ଦିରକୁ ୫ ଟି ଅଧୀନକୁ ଆଣି ଉନ୍ନତୀକରଣ ପାଇଁ ପ୍ରତିଶୃ୍ତି ପ୍ରଦାନ କରିଛନ୍ତି I ସୂଚନା ପ୍ରକାରେ ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି,ଏବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ, ତହସିଲଦାର ମନୋଜ ପ୍ରଭାକର କୂଜୂର୍ ,ଭଞ୍ଜନଗର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପ୍ରମୁଖ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ପହଞ୍ଚି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ I ଏନେଇ ମନ୍ଦିର ପରିଚାଳନା କମିଟିକୁ ପୂର୍ବରୁ ସୂଚନା ଦିଆଯାଇଥିଲା I ମାଆ ବୁଢାକେନ୍ଦୁ ପୀଠରେ ପ୍ରଚୁର ସ୍ଥାନ ଥିବା ସତ୍ତ୍ୱେ ଏହାର ଆବଶ୍ୟକ ଉନ୍ନତି ହୋଇପାରିନଥିବା ଉପଜିଲ୍ଲାପାଳ ଶ୍ରୀ ରାୟ ଅନୁଭବ କରିପାରିଥିଲେ I ମନ୍ଦିର ପରିସରରେ ପାନୀୟ ଜଳର ବ୍ୟବସ୍ଥା, ପାଚେରୀ, ବିଶ୍ରାମଗାର,ରୋଷେଇ ଶାଳ, ଖୋଲା ଆଶ୍ରୟ ସ୍ଥଳୀ, ମନ୍ଦିର ମରାମତି, ଆଧୁନିକ ଶୌଚାଳୟ,କର୍ମକର୍ତ୍ତା କାର୍ଯ୍ୟାଳୟ, ଅତିଥି ଭବନ, ପୂଜା ସାମଗ୍ରୀ ବିକ୍ରୟ ଗୃହ, ମାଆ ବୁଢାକେନ୍ଦୁ ଯୁବକ ସଂଘ ଗୃହର ଅଭାବ ରହିଥିବା ଅନୁଭବ କରିବା ସହିତ ଏହି ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ମନ୍ଦିର ପରିଚାଳନା କମିଟିକୁ ପରାମର୍ଶ ଦେଇଥିଲେ I ଆଜିର ଆଲୋଚନାରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଆଇନଜୀବୀ ଦେବୀପ୍ରସାଦ ତ୍ରୀପାଠୀ, ସଭ୍ୟ କୁଞ୍ଜବିହାରୀ ନାୟକ, ପ୍ରଦ୍ୟୁମ୍ନ ପାତ୍ର, ସୀମାଞ୍ଚଳ ବିଷୋୟୀ, କାମରାଜୁ ଗୌଡ଼, ରାଜେନ୍ଦ୍ର ଗୌଡ଼, ଦିଲ୍ଲୀପ ଜେନା, ଦୁର୍ଗାମାଧବ ନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ I ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ବେଲଗୁଣ୍ଠା ବ୍ଳକ୍ ପ୍ରାଶାସନ ସହିତ ଗୋବରା ପଂଚାୟତର ଜୟନ୍ତୀଗଡ଼ ଗ୍ରାମରେ ପହଞ୍ଚି ସେଠାରେ ଥିବା ଭଞ୍ଜବଂଶୀୟ ଅଧିଷ୍ଠାତ୍ରୀ ଦେବୀ ମାଆ କନକ ଦୂର୍ଗା ମନ୍ଦିର ଏବଂ ବାସୁଦେବ ମନ୍ଦିରର ଉନ୍ନତି ପାଇଁ ମନ୍ଦିର ପରିଚାଳନା କମିଟିସହ ଆଲୋଚନା କରିଥିଲେ I ଏହା ସହିତ ଜଗନ୍ନାଥ ମନ୍ଦିର, କପିଳେଶ୍ଵର ମନ୍ଦିର, ଉନ୍ନତିକରଣ କରିବା ସହ ବଡ଼ ବୋର୍ସିଂଗ୍ ,ଗୋବରା, ବିରିପୁର,ଡେଙ୍ଗାପଦର ଦେଇ ଯାଇଥିବା କାଳିଆମ୍ବା ନାଳର ଚଢିଆ ଲତାକୁ ପରିଷ୍କାର କରି ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ ପ୍ରତିଶୃତି ଦେଇଥିଲେ I ଜୟନ୍ତୀଗଡ଼ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ବିଶ୍ୱାଳ, ସଦସ୍ୟ ରାମକୃଷ୍ଣ ପାତ୍ର, ସମିତିସଭ୍ୟ ବିଭୂପାଦ ଜେନା, ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ, ଯୋଗେନ୍ଦ୍ର ମହାରଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଆଲୋଚନା କରି ଏହାର ସବିଶେଷ ତଥ୍ୟ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇ ଅର୍ଥ ମଞ୍ଜୁର ହେବା ପରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ I ଆଜି ପ୍ରଶାସନିକ ଅଧିକାରୀ ମାନଙ୍କର ମାଆ ବୁଢାକେନ୍ଦୁ ମନ୍ଦିର ଏବଂ ଜୟନ୍ତୀଗଡ଼ ପରିଦର୍ଶନ ପରେ ଅଞ୍ଚଳବାସୀଙ୍କ ମନରେ ଏକ ନୂତନ ଆଶାର ସଂଚାର ହୋଇଛି I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ