ମାଗଣାରେ ବୁଷ୍ଟର ଡୋଜର ଶୁଭାରମ୍ଭ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ସରକାରଙ୍କ ପକ୍ଷରୁ ୧୮ରୁ ୫୯ ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବା ପାଇଁ ଶୁକ୍ରବାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଅଲଣାହାଟ ଓ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଷ୍ଟର ଡୋଜ ନେବା ପାଇଁ ଲୋକମାନଙ୍କର ଭିଡ ଜମିଥିଲା । ପ୍ରଥମ ଦିନରେ ଅଫଲାଇନ ମାଧ୍ୟମରେ ଟିକାକରଣ ବ୍ୟବସ୍ଥା ହୋଇଥିବାରୁ ମୋଟ ୫୧୦ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା । ଏଥିରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୯ଜଣ, ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୩୧ଜଣ ଓ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୦ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିବା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକ୍ଷକ ଡାକ୍ତର ମାନସ ମହାପାତ୍ର ସୂଚନା ଦେଇଛନ୍ତି । ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ଅନ୍ନଦା ପ୍ରସାଦ ମହାନ୍ତି, ଫାର୍ମାସିଷ୍ଟ ମିହିର ଲେଙ୍କା ପରିଚାଳନା କରୁଥିବା ବେଳେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ତ୍ରିଲୋଚନ ମହାନ୍ତି ପରିଚାଳନା କରୁଥିବା ଜଣାଯାଇଛି ।


