ମାଛ ପାଟିରେ ଧଳା ଜହର କାରବାର
ବାଲେଶ୍ୱର,(ସରୋଜ ପଣ୍ଡା):ବ୍ୟବସାୟୀମାନେ ନିଶା କାରବାର କରିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି। ପୁଲିସ୍ ଓ ଅବକାରୀ ବିଭାଗ ଆଖିରୁ ଖସିଯିବା ପାଇଁ କେତେବେଳେ ଆମ୍ବୁଲାନ୍ସ ସାହାର୍ଯ୍ୟ ନେଉଛନ୍ତି ତ କେତେବେଳେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି।ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଧଳା ଜହର କାରବାରର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ୩୦ ଗ୍ରାମ ଧଳା ଜହର ଜବତ କରିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପଶ୍ଚିମବଙ୍ଗର ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ନାଁ ଜଣାପଡ଼ିନାହିଁ।ଆଜି ସକାଳେ ଅଭିଯୁକ୍ତଜଣଙ୍କ ଜଳେଶ୍ୱରରୁ ଏକ ମାଛ କିଣିଥିଲେ। ପରେ ମାଛ ପାଟିରେ ତିନୋଟି ପୁଡ଼ିଆ ଧଳା ଜହର ପୁରାଇ ଦେଇଥିଲେ। ସେ ଭାବିଥିଲେ ଏମିତି ଧଳା ଜହର ନେଲେ କେହି ଧରିବେନି। ହେଲେ ସବୁ ଚାଲ ଫେଲ୍ ମାରିଲା।ଜଳେଶ୍ୱର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଲକ୍ଷ୍ମଣ ନାଥ ସୀମାରେ ଅଭିଯୁକ୍ତଙ୍କୁ ଅଟକାଇଥିଲେ। ଏହାପରେ ଯାଞ୍ଚ କରି ମାଛ ପାଟିରୁ ତିନୋଟି ପୁଡ଼ିଆ ଧଳା ଜହର ଜବତ କରିଥିଲା। ଏହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହାର ପଛରେ କାହାର ହାତ ରହିଛି, ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ ମାଛ ସହ ବାଇକ୍କୁ ଜବତ କରିଛି।