ମାଟି ତଳେ ମନ୍ଦିର; ଦୃଶ୍ୟମାନ ଦଧିନଉତି ପୂଜାର୍ଚ୍ଚନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଲୋକଲୋଚନକୁ ଆସିଛି ଏକ ଐତିହ୍ୟ । ଏହି ଜିଲାର ବିିଭିନ୍ନ ଅଞ୍ଚଳରେ ରାଜା ରାଜୁଡ଼ାଙ୍କ ଶାସନ ଥିଲା । ସେହିସମୟ​‌​‌ରେ ନିର୍ମିତ ମନ୍ଦିରଗୁଡିକ କାଳର କରାଳ ଗର୍ଭରେ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା । କେତେକ ଐତିହ୍ୟ ବିଭିନ୍ନ ସମୟରେ ମାଟିତଳୁ ମଧ୍ୟ ଠାବ ହୋଇଥିବା ବେଳେ ଏବେ ପୁଣି ଏକ ମନ୍ଦିର ମାଟିତଳେ ପୋତି ରହିଥିବା ନଜରକୁ ଆସିଛି । କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଳକର  ସୋନପୁର ପଞ୍ଚାୟତ ହାଇସ୍କୁଲ ନିକଟରେ ମାଟିତଳୁ ଏକ ମନ୍ଦିରର କିଛି ଅଂଶ ଦୃଶ୍ୟମାନ ହୋଇଛି । ମନ୍ଦିରର ଦଧିନଉତି ଭଳି ପଥରରେ ନିର୍ମିତ ଚକ୍ର ଆକୃତିର ଏକ ପଥର ଖଣ୍ଡକୁ ଅଞ୍ଚଳବାସୀ ଯଦିଓ ପୂଜାର୍ଚ୍ଚନା କରୁଛନ୍ତି, କିନ୍ତୁ ଏହାର ସମଗ୍ର ଅଂଶ ମାଟିତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ପଥରଟିକୁ ଖୋଳି ବାହାର କରିବାକୁ ଅଞ୍ଚଳବାସୀ ଉଦ୍ୟମ କରି ବିଫଳ ହୋଇଛନ୍ତି। ଚକ୍ରାକୃତି ପଥର ଦୃଶ୍ୟମାନ ହେବା ପରଠାରୁ ଅଞ୍ଚଳବାସୀ ପୂଜାର୍ଚ୍ଚନା କରି ଆସୁଛନ୍ତି ବୋଲି ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ପୁରୁଷ ପୁରୁଷ ଧରି ଏହାକୁ ଅଞ୍ଚଳବାସୀ ଗୋଟିଚକ୍ର ଭାବରେ ପୂଜା କରି ଆସୁଛନ୍ତି ବୋଲି କହିଛନ୍ତି ସେହି ଗ୍ରାମର ବରିଷ୍ଠ ବ୍ୟକ୍ତି ଦେବେନ୍ଦ୍ର ପାତ୍ର। ଏହି ଚକ୍ରକୁ ଲୋକେ ପିଢିପିଢି ଧରି ଦେଖି ଆସୁଛନ୍ତି ଏବଂ ଏହାକୁ ଲୋକେ ଶିବ ଭଗବାନଙ୍କ ସ୍ଥଳୀ ଭାବେ ଧରି ନେଇଛନ୍ତି । ସ୍ଥାନୀୟ ଲୋକେ କୌତୁହଳବଶତଃ ପଥର ନିର୍ମିତ ଚକ୍ରକୁ ସେଠାରୁ ଉଠାଇବାକୁ ଖୋଳାଖୋଳି କରି ବିଫଳ ହୋଇଛନ୍ତି । ଏହା କୌଣସି ଭଙ୍ଗା ପଥର ଖଣ୍ଡ ନୁହେଁ, ବରଂ ଏହା ଭୁଗର୍ଭରେ ପୋତି ହୋଇଯାଇଥିବା ଗୋଟିଏ ମନ୍ଦିରର ଉପରଭାଗ ବୋଲି ଲୋକେ କହିଚନ୍ତି। ସୋନପୁର ସମେତ ଆଖପାଖରେ ଥିବା ସତୁଙ୍ଗିଆ, ବୁଡ଼୍ରାପଙ୍ଗା, ଜୁଆଙ୍ଗିଆ, ମିସ୍କି ଭଳି ବିଭିନ୍ନ ଅଞ୍ଚଳବାସୀ ଏହି ସ୍ଥଳରେ ପୂଜାର୍ଚ୍ଚନା କରି ଆସୁଛନ୍ତି। କୌଣସି ନିର୍ଦ୍ଦଷ୍ଟ ଦିନରେ ଏହା ପୂଜା କରାଯାଉନଥିଲେ ମଧ୍ୟ ପ୍ରତ୍ୟେକ ପର୍ବପର୍ବାଣିରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଖୋଳାଖୋଳି ସମୟରେ ସେଠାରୁ ବାହାରିଥିବା ଇଟା ବର୍ତ୍ତମାନର ଇଟା ନିର୍ମାଣ ଶୈଳୀଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବାସ୍ତବରେ ମନ୍ଦିରଟି ପୋତି ହୋଇ ରହିଛି ନା ନାହିଁ ସେ ସମ୍ପର୍କରେ ଜାଣିବାକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ସ୍ଥାନରେ ଖୋଳାଯିବାର ଆବଶ୍ୟକତା ରହିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହା ଏକ ବିଶ୍ୱକର୍ମା ମନ୍ଦିର । ପ୍ରାକୃତିକ ବିପତ୍ତିରେ ଏହା ଭୁଗର୍ଭରେ ପୋତି ହୋଇଯାଇଛି । ଏହି ଐତିହାସିକ ଜାଗାକୁ ବର୍ତ୍ତମାନ ରାସ୍ତାଟିଏ ନାହିଁ। ପ୍ରଶାସନ ଏହା ଉପରେ ନଜର ଦେଲେ ଏହା ଏକ ଦର୍ଶନୀୟ ସ୍ଥାନ ହୋଇପାରିବ। ଉକ୍ତ ସ୍ଥାନର କିଛି ଦୂରରେ ଏକ ଗଣେଶ ମନ୍ଦିର ରହିଛି। ଲୋକଲୋଚନକୁ ଆସିପାରିନଥିବା ଏହି ସ୍ଥାନକୁ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳାସୀ ମତ ଦେଇଛନ୍ତି । ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ସ୍ୱେଛାସେବୀ ସଂଗଠନ ଜାଗୃତିର ସମ୍ପାଦକ କୈଳାସ ଦଣ୍ଡପାଟ ଏହି ଚକ୍ର ବାବଦରେ ସେ ପ୍ରତ୍ନତତ୍ତ୍ବ ବିଭାଗକୁ ଲିଖିତ ଭାବେ ଜଣାଇବେ ବୋଲି ସୂଚନା ଦେଇଛନ୍ତି । ଧିରେଧିରେ ଏହା ଲୋକଲୋଚନକୁ ଆସିବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ